ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଜିଠୁ ଶାସ୍ତ୍ରୀୟ ନୃତ୍ୟରେ ଦୁଲକିବ କୋଣାର୍କ ମୁକ୍ତାକାଶ ମଞ୍ଚ
  • ଓଡ଼ିଶୀ, ଭାରତନାଟ୍ୟମ୍, କଥକ, କୁଚିପୁଡ଼ି ଓ ମୋହିନୀଆଟ୍ଟମରେ ଝୁମିବେ ଦର୍ଶକ
  • ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ
  • ୮ଟି ଦେଶରୁ ଆସୁଛନ୍ତି ବାଲୁକା ଶିଳ୍ପୀ
  • ୫ ଦିନରେ ୫ଟି ଥିମ୍

ଆଜିଠୁ ଜମିବ ବିଶ୍ୱପ୍ରସିଦ୍ଧ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ। ପ୍ରତିବର୍ଷ ଭଳି ଚଳିତବର୍ଷ ୫ଦିନ ଧରି ଚାଲିବ ଏହି ଉତ୍ସବ। ଆଜିର ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମନ ମୋହିବେ ସୃଜନ ଅନୁଷ୍ଠାନର କଳାକାର। ଦ୍ୱିତୀୟ ପ୍ରସ୍ତୁତିରେ କଥକ ନୃତ୍ୟ ପରିବେଷଣ କରିବେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଗୁରୁ ଶାମା ଭଟ୍ଟେ ଏବଂ ସାଥୀକଳାକାରମାନେ।

୧୯୮୯ ମସିହାରୁ ଲଗାତାର ଭାବେ ଆୟୋଜିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ହେଉଛି ଏପରି ଏକ ମୁକ୍ତାକାଶ ମଞ୍ଚ, ଯାହା ଓଡ଼ିଶାର କଳା, ନୃତ୍ୟ ଓ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ସୂର୍ଯ୍ୟ ମନ୍ଦିର କୋଳରେ ମୁକ୍ତାକାଶ ତଳେ ଶୀତୁଆ ରାତିରେ କୋଣାର୍କ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ସ୍ପର୍ଶ ପାଇବା ପାଇଁ ଦର୍ଶକ ଓ ପର୍ଯ୍ୟଟକ, ଉତ୍ସାହର ସହ ଅନେଇ ବସିଥା’ନ୍ତି।

ସେହିପରି ଦ୍ୱିତୀୟ ସଂଧ୍ୟାରେ ଇଣ୍ଡୋନେସିଆର ୱିଦ୍ୟ ବୁଦାୟ ଗ୍ରୁପ୍‌ ଲୋକନୃତ୍ୟ ପରିବେଷଣ କରିବେ। ଏହି ସଂଧ୍ୟାର ପର ପ୍ରସ୍ତୁତିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ କୋଲକାତାର ଆଲୋକା କାନୁନ୍‌ଗୋ ଏବଂ ସାଥୀ କଳାକାର।

ଉତ୍ସବର ତୃତୀୟ ସଂଧ୍ୟାରେ ଅନୁଗୁଳର ନୃତ୍ୟନିଳୟ ଅନୁଷ୍ଠାନର ସ୍ୱପ୍ନାରାଣୀ ସିହ୍ନା ଓ ଗ୍ରୁପ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ସେହିପରି ତୃତୀୟ ସଂଧ୍ୟାର ପରବର୍ତ୍ତୀ କାର୍ଯ୍ୟକ୍ରମ ହେବ ମୋହିନୀଆଟ୍ଟମ ନୃତ୍ୟ। ଏହାକୁ ଦିଲ୍ଲୀର ଜୟପ୍ରଭା ମେନନ୍ ଓ ଗ୍ରୁପ ପରିବେଷଣ କରିବେ।

ଚତୃର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟରେ ଦର୍ଶକଙ୍କ ମନ ମୋହିବେ ଦିଲ୍ଲୀର ରାଜା ଏବଂ ରାଧା ରେଡି ଗ୍ରୁପ୍। ସେହି ସଂଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ଭୁବନେଶ୍ୱରର ତ୍ରିଧାରା ଅନୁଷ୍ଠାନର ଗଜେନ୍ଦ୍ର ପଣ୍ଡା ଏବଂ ସାଥୀ କଳାକାର।

କୋଣାର୍କ ଉତ୍ସବର ଶେଷ ସଂଧ୍ୟାରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିବେ ବୈଭବ ଆରେକର୍ ଏବଂ ସାଥୀ କଳାକାର। ଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟ ରିସର୍ଚ ସେଣ୍ଟର ପକ୍ଷରୁ ପରିବେଷିତ ହେବ ଓଡିଶୀ ନୃତ୍ୟ।

କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ବି ଆୟୋଜିତ ହେବ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ। ଏହି ଉତ୍ସବ ଦିନ ୧୦ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ।

ଚଳିତବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ଆର୍ୟଲାଣ୍ଡ, ଡେନ୍‌ମାର୍କ, ଋଷିଆ, କାନାଡା, ଟଗୋ ଓ ଶ୍ରୀଲଙ୍କାରୁ ଶିଳ୍ପୀମାନେ ନିଜ ପ୍ରତିଭା ଦେଖାଇବେ। ସେହିପରି ଦେଶ ଭିତରୁ ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରୁ ବାଲୁକାକଳା ଶିଳ୍ପୀମାନେ ଅଂଶଗ୍ରହଣ କରିବେ।

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ୫ ଦିନରେ ୫ଟି ଥିମ ରଖାଯାଇଛି। ଚଳିତବର୍ଷ ଏହି ବିଷୟଗୁଡିକ ମଧ୍ୟରେ ପ୍ରଥମ ଦିନ- ପ୍ରକୃତି ପର୍ଯ୍ୟଟନ, ଦ୍ୱିତୀୟ ଦିନରେ ରହିଛି ସଂସ୍କୃତି, ପର୍ବ ଓ ପର୍ବାଣୀ, ତୃତୀୟ ଦିନରେ ମହିଳା ସଶକ୍ତିକରଣ, ଚତୁର୍ଥ ଦିନରେ ପ୍ଲାଷ୍ଟିକ୍‌କୁ ନା ଥିମ୍‌ ରହିଥିବା ବେଳେ ପଞ୍ଚମ ଦିନରେ ଐତିହ୍ୟ ରହିଛି।

ପୁରୀ ସମୁଦ୍ର ବେଳାଭୂମିରୁ ଆକସ୍ମିକ ଭାବେ ବାଲୁକା କଳା ଆରମ୍ଭ କରିଥିବା ସୁଦର୍ଶନ ପଟ୍ଟନାୟକ ଏ କ୍ଷେତ୍ରରେ ତାଙ୍କର ଦକ୍ଷତା ପାଇଁ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛନ୍ତି। ଗତବର୍ଷ ସେ ପୁରୀ ବେଳାଭୂମିରେ ତାଙ୍କ ସାଥୀମାନଙ୍କୁ ନେଇ ୪୮ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଏକ ବାଲୁକା ଦୁର୍ଗ ତିଆରି କରି ଗିନିଜ ରେକର୍ଡ ପ୍ରତିଷ୍ଠା କରିଥିଲେ।

Comment