ଓଡ଼ିଶାଲାଇଭ୍ ବ୍ୟୁରୋ

୩ ମାସର କୋହଳ ପରେ ଆଜିଠୁ ଟ୍ରାଫିକ୍‌ ଧରପଗଡ଼ ଜୋରଦାର ହୋଇଛି। ଭୁବନେଶ୍ୱ, କଟକ, ବାଲେଶ୍ୱର ଏବଂ ସମ୍ବଲପୁରରେ ଏହି ଧରଗଡ଼ ଆରମ୍ଭ ହୋଇଛି। ଟ୍ରାଫିକ ନିୟମ ମାନୁ ନଥିବା ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା କଷିଛି ପୋଲିସ।

ଗାଡ଼ି କାଗଜପତ୍ର, ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଯାଞ୍ଚକୁ ବାଦ୍‌ ଦେଲେ ଅନ୍ୟ ସବୁ ନୟମକୁ କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ନଜର ଆସିଲେ ଗାଡ଼ି ଚାଳକଙ୍କୁ ସାଙ୍ଗେ ସାଙ୍ଗେ ଅଟକାଇ ପୋଲିସ ଚାଲାଣ କାଟୁଛି।

ଭୁବନେଶ୍ୱରର ରାଜମହଲ, ରୁପାଲି, ନାଲ୍‌କୋ, ଏଜି ଛକ ଆଦି ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବା ବେଳେ କଟକ, କାଲେଶ୍ୱର ଓ ସମ୍ବଲପୁରରେ ବି ଯାଞ୍ଚ ଚାଲିଛି। ଭୁବନେଶ୍ୱରର ରୁପାଲି ଛକରେ ପ୍ରଥମ ଥର ପାଇଁ କ୍ୟାମେରା ଜରିଆରେ ଚାଲାଣ କଟାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ କ୍ୟାମେରା ଦେଖୁଛି। ଟିକେ ଏପଟ ସେପଟ ହେଲେ ସିଧା ଚାଲାଣ ଘରେ ଯାଇ ପହଞ୍ଚି ଯାଉଛି। ଆଜି ଚାରି ଜଣ ଗାଡ଼ି ଚାଳକଙ୍କଠୁ କ୍ୟାମେରା ମାଧ୍ୟମରେ ଚାଲାଣ କଟା ଯାଇଛି। ଆଗାମୀ ଦିନରେ ୮ଟି ଟ୍ରାଫିକ୍‌ ଛକରେ କ୍ୟାମେରା ଜରିଆରେ ଧରପଗଡ଼ କରିବାକୁ ପୋଲିସ କହିଛି।

ସେହିପରି ରାଜମହଲ ଛକ ଓ ରୁପାଲି ଛକରୁ ହେଲ୍‌ମେଟ୍‌ ପିନ୍ଧି ନଥିବା, ରଙ୍ଗ୍ ରୁଟ୍‌ରେ ଆସୁଥିବା, ସିଟ୍‌ ବେଲ୍ଟ ପିନ୍ଧି ନଥିବା ଗାଡ଼ି ଚାଳକଙ୍କଠୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଇଛି।

ଏପଟେ କଟକ ଲିଙ୍କ୍‌ ରୋଡ୍‌ ଟ୍ରାଫିକରେ ବି ସମାନ ଅବସ୍ଥା। ନିୟମ ନମାନି ଗାଡ଼ି ଚଲାଉଥିବା ଚାଳକଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ। ଆଜି ଜଣେ ନାବାଳକ ଗାଡ଼ି ଚଳାଉ ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲା। ଶେଷରେ ନାବାଳକର ବାପା ଆସି ପୋଲିସକୁ ଫାଇନ ଦେଇଥିଲେ।

Comment