ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁରରେ ଖୋଲିଲା ଧାନ ଓ ମାଣ୍ଡିଆ ମଣ୍ଡି। ନବରଙ୍ଗପୁର ମୁଖ୍ୟ ବଜାର ପରିସରରେ ଜିଲ୍ଲା ସ୍ତରୀୟ ମଣ୍ଡିର ଉଦ୍‌ଘାଟନ ହୋଇ ଯାଇଛି। ଉଦ୍‌ଘାଟନ ସମୟରେ ଡାବୁଗାଁ ବିଧାୟକ ମନୋହାର ରନ୍ଧାରୀ, ନବରଙ୍ଗପୁର ଅତିରକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର, ଉପଜିଲ୍ଲାପାଳ ଭାସ୍କର ରାଇତା ଯୋଗ ଦେଇ ମଣ୍ଡିର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଚାଷୀଙ୍କୁ ମଣ୍ଡି ବାବଦରେ ସଚେତନ କରିବା ପାଇଁ ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଥିଲା। ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ଗାଁରେ ବୁଲି ବୁଲି ଧାନ ମଣ୍ଡି ଓ ମାଣ୍ଡିଆ ମଣ୍ଡି ବାବଦରେ ଚାଷୀଙ୍କୁ ସଚେତନ କରାଇବ।

ଚଳିତବର୍ଷ ୨୦ ହଜାର ୩୪୯ ଜଣ ଚାଷୀ ରେଜିଷ୍ଟେସନ କରିଥିବାବେଳେ ବର୍ତ୍ତମାନ ୫ ହଜାର ଚାଷୀଙ୍କ ଟୋକୋନ୍ ଆସିଥିବା ଉପଜିଲ୍ଲାପାଳ ସୂଚନା ଦେଇଥିଲେ।

ପ୍ରତ୍ୟେକ ଧାନ ମଣ୍ଡିରେ ଏହି ମାଣ୍ଡିଆ ମଧ୍ୟ କ୍ରୟ କରାଯିବା ନେଇ ନିଷ୍ପତି ନିଆଯାଇଛି। ଚଳିତବର୍ଷ ମଣ୍ଡିରେ ଚାଷୀଙ୍କର ଯେମିତି କିଛି ଅସୁବିଧା ହେବନାହିଁ ସେଥିପାଇଁ ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ନବରଙ୍ଗପୁର ଆରଏମ୍‌ସି ସମ୍ପାଦକ ଅବକାଶ ବେହେରା।

Comment