ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ପୋଲିସ୍ କ୍ୱାର୍ଟର୍ସରେ ହୋଇଥିବା ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ଜଟିଳ ହେଉଛି। ଗିରଫ ଦୁଇ ଅଭିଯୁକ୍ତ ଜେଲ୍‌ ଯାଇଥିବା ବେଳେ ଦୁଷ୍କର୍ମ ସମ୍ପର୍କରେ ପୀଡ଼ିତାଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ପୀଡ଼ିତାଙ୍କୁ ପଚରା ଉଚରା କରାଯିବ ବୋଲି ପୁରୀ ଏସ୍‌ ପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

‘‘ପୀଡ଼ିତାଙ୍କୁ ଏବେ ସୁଧାର ଗୃହରେ ରଖାଯାଇଛି। ସିଡବ୍ଲ୍ୟୁସି ପୀଡ଼ିତାଙ୍କୁ କାଉନସେଲିଂ କରିବ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ପୋଲିସର ସ୍ୱତନ୍ତ୍ର ଟିମ୍‌ ଏଦିଗରେ କାମ କରୁଛନ୍ତି’’, କହିଛନ୍ତି ଉମାଶଙ୍କର ଦାସ।

ଗତ ସୋମବାର ପୁରୀ ପୋଲିସ ବାରାକ୍‌ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଚାରି ଜଣ ଯୁବକ ନିମାପଡ଼ାରୁ ସଂପୃକ୍ତ ଯୁବତୀଙ୍କୁ ଉଠାଇ ଆଣି ପୁରୀରେ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କ ସମେତ ଅନ୍ୟ ଜଣେ ସହଯୋଗୀ ରାଜେଶ ସେଠୀଙ୍କୁ ଗିରଫ କରିଛି। ଆଉ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି।

Comment