ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ସବୁଠୁ ଯୁବ ଆଇପିଏସ୍‌ ସାଫିନ ହସନଙ୍କ ସଫଳତାର କାହାଣୀ। ଘୋର ଦାରିଦ୍ର୍ୟତା ମଧ୍ୟରେ କେମିତି ଚଢ଼ିଲେ ସଫଳତାର ପାହାଚ? 

କୁହାଯାଏ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସଂଘର୍ଷ କରି ସଫଳତା ପାଇଥିବା ଲୋକ ହିଁ ପ୍ରକୃତ ସଫଳତାର ସ୍ୱାଦ ଚାଖିଥାନ୍ତି। ସେହିମାନଙ୍କ ମଧ୍ୟରୁ ଦେଶର ଯୁବ ଆଇପିଏସ୍‌ ଅଫସର ସାଫିନ ହସନ୍‌ ହେଉଛନ୍ତି ଜଣେ, ଯିଏକି ସମସ୍ତ ପ୍ରତିକୂଳ ପରିସ୍ଥିତି ସାମ୍ନା କରି ସଫଳତା ହାସଲ କରିଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସାଫିନଙ୍କ ଘର ଗୁଜୁରାଟରେ। ଜୀବନରେ ଅନେକ ଖରାପ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ସାଫିନ୍ ଆଜି ଜଣେ ସଫଳ ମଣିଷ। ତାଙ୍କ ସଫଳତା ପଛରେ ତାଙ୍କର ଯେତିକି ଭୂମିକା ଅଛି ତାଙ୍କ ବାପା, ମା’ଙ୍କର ମଧ୍ୟ ସେତିକି ଭୂମିକା ଅଛି।

ସାଫିନ୍ ହସନଙ୍କ ଜନ୍ମ ଗୁଜୁରାଟର ସୁରଟରେ ହୋଇଥିଲା। ତାଙ୍କ ବାପା ମା’ ସେ ସମୟରେ ଗୋଟିଏ ହୀରା କାରଖାନାରେ କାମ କରୁଥିଲେ। ଏହି ସମୟରେ ଥରେ ତାଙ୍କ ଗାଁକୁ ଜଣେ କଲେକ୍ଟର ଆସିଥିଲେ। ସେ ସମୟରେ ସେହି କଲେକ୍ଟରକୁ ଦେଖିବାକୁ ଗାଁ ଲୋକମାନଙ୍କ ଭିତରେ ପ୍ରବଳ ଆଗ୍ରହ ଥିବା ସାଫିନ୍ ଦେଖିଥିଲେ। ଏହାପରେ ତାଙ୍କ ମାଉସୀଙ୍କୁ ସେ ଏହାର କାରଣ ପଚାରିବାରୁ ତାଙ୍କ ମାଉସୀ କହିଥିଲେ ଯେ, କଲେକ୍ଟର ହେଉଛନ୍ତି ଗୋଟିଏ ଜିଲ୍ଲାର ରାଜା। ବାସ୍ ସେହିଦିନଠୁ ସାଫିନ୍ କଲେକ୍ଟର ହେବା ପାଇଁ ଇଚ୍ଛା କରିଥିଲେ।

ଏହାପରେ କିନ୍ତୁ କୌଣସି ଏକ କାରଣରୁ ତାଙ୍କ ବାପା ମା’ ତାଙ୍କର ଚାକିରି ହରାଇ ବସିଥିଲେ।  ଏପରିକି ତାଙ୍କ ବାପା ଦିନ ମଜୁରିଆ ଭାବେ କାମ କରିସାରିବା ପରେ ରାତିରେ ଠେଲାଗାଡ଼ିରେ ସିଝା ଅଣ୍ଡା ବିକୁଥିଲେ। ସେହିପରି ତାଙ୍କ ମା ମଧ୍ୟ ବାହାଘର ଓ ବିଭିନ୍ନ କାର୍ଯ୍ୟକ୍ରମରେ ରୁଟି ତିଆରି କରୁଥିଲେ। ନିଜ ପୁଅକୁ ଅଫିସର କରିବା ଲକ୍ଷ୍ୟରେ ସାଫିନଙ୍କ ବାପା ମା’ ଅନେକ ପରିଶ୍ରମ କରିଥିବା ସାଫିନ୍ କହିଥାନ୍ତି।

ଏପରିକି ଶୀତଦିନରେ ତାଙ୍କ ମାଙ୍କ ଦେହରେ ଝାଳ ବୋହୁଥିବା ସେ ଦେଖିଛନ୍ତି ବୋଲି ସାଫିନ୍ କୁହନ୍ତି। ତାଙ୍କ ମା’ ବହୁ ପରିଶ୍ରମ କରି ଦିନକୁ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ରୁଟି ତିଆରି କରୁଥିଲେ।

କଠିନ ପରିଶ୍ରମ କରି ବାପା, ମା’ ପୁଅକୁ ପଢ଼ାଉଥିଲେ। ସାଫିନ ୯୨ ପ୍ରତିଶତ ମାର୍କ ରଖି ଦଶମ ଶ୍ରେଣୀ ପାସ୍ କରିଥିଲେ। ଏହାପରେ ତାଙ୍କର ମାର୍କ ଭଲ ଥିବା କାରଣରୁ  ସେ ଗୋଟିଏ ବେସରକାରୀ କଲେଜରେ କମ୍ ଟଙ୍କା ଦେଇ ପାଠ ପଢ଼ିଲେ। ଛୁଟି କିମ୍ବା ଖାଲି ସମୟରେ ସେ ନିଜେ ଛୋଟ ପିଲାଙ୍କୁ ଟ୍ୟୁସନ୍ କରି କିଛି ଟଙ୍କା ଯୋଗାଡ଼ କରୁଥିଲେ। ଏହାପରେ ସେ ପ୍ରଥମ କରି ୟୁପିଏସସି ପରୀକ୍ଷା ଦେଇଥିଲେ। ନିଜର ପ୍ରଥମ ୟୁପିଏସସି ପରୀକ୍ଷାରେ ସେ ପାସ୍ ହୋଇ ଆଇପିଏସ୍ ଅଫିସର ହେଇଥିଲେ ସାଫିନ୍‌।

ତାଙ୍କ ପରିବାରର ଖରାପ ଆର୍ଥିକ ପରିସ୍ଥିତି ମଧ୍ୟରେ ସେ ନିଜକୁ ଜଣେ ଅଫିସର କରିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ, ଯାହା ଆଜି ତାଙ୍କୁ ଜଣେ ସଫଳ ଆଇପିଏସ୍ ଅଫିସର କରିପାରିଛି।

Comment