ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିଟେନ ସାଧାରଣ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଛି କଶ୍ମୀର ପ୍ରସଙ୍ଗ। ଏହାକୁ କେନ୍ଦ୍ର କରି ଲେବର ଓ କଞ୍ଜରଭେଟିବ ପାର୍ଟି ଭାରତୀୟ ମତଦାତାଙ୍କୁ ଆକର୍ଷିତ କରୁଛନ୍ତି।

କୁହାଯାଏ କି ନିର୍ବାଚନ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଲଢ଼ାଯାଏ। ହେଲେ କଶ୍ମୀର ଏଭଳି ଏକ ପ୍ରସଙ୍ଗ ଯାହାର ପ୍ରଭାବ ୪ ହଜାର ମାଇଲ ପର୍ଯ୍ୟନ୍ତ ପଡ଼ିଛି। ବ୍ରିଟେନରେ ହେଉଥିବା ସାଧାରଣ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ପ୍ରସଙ୍ଗ। ବ୍ରିଟେନର ଲେବର ଓ କଞ୍ଜରଭେଟିବ ପାର୍ଟି ଏହି ପ୍ରସଙ୍ଗରେ ଭାରତୀୟ ମତଦାତାଙ୍କୁ ଆକର୍ଷିତ କରୁଛନ୍ତି।

ବ୍ରିଟେନର ବାମପନ୍ଥୀ ଲେବର ପାର୍ଟି କଶ୍ମୀରରୁ ଧାରା ୩୭୦ ଉଠାଇବା ବିରୋଧରେ ଥିଲେ। ଏହାକୁ ନେଇ ବର୍ତ୍ତମାନ ବ୍ରିଟେନ ହିନ୍ଦୁ ମତଦାତା ଲେବର ପାର୍ଟିର ବିରୋଧୀ ହୋଇଯାଇଛନ୍ତି। ଲେବର ପାର୍ଟି ସେପ୍ଟେମ୍ଵର ମାସରେ ଏକ ଇମରଜେନ୍ସି ମୋସନ ଜାରି କରିଥିଲା। ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକଙ୍କୁ କଶ୍ମୀର ଯାଇ ସ୍ଥିତି ସମୀକ୍ଷା କରିବାକୁ କୁହାଯାଇଥିଲା।

ପରେ ଲେବର ପାର୍ଟି କଶ୍ମୀରରେ ନାଗରିକଙ୍କୁ ଅପହରଣ, ଯୌନ ନିର୍ଯାତନା, ମାନବାଧିକାର ଉଲ୍ଲଘଂନ ଉପରେ ଆଲୋଚନା କରିବା ସହ କଶ୍ମୀର ବିଚ୍ଛିନ୍ନବାଦୀ ନେତାମାନଙ୍କୁ ଗୃହବନ୍ଦୀ କରାଯାଇଥିବା ଉପରେ ପ୍ରଶ୍ନ କରିଥିଲେ। ଏଭଳି ପ୍ରସ୍ତାବରେ ବ୍ରିଟେନର ଭାରତୀୟ ସମୁଦାୟ ଲେବର ପାର୍ଟିର ବିରୋଧୀ ହୋଇଯାଇଛନ୍ତି।

ଯାହାକି ବର୍ତ୍ତମାନ ନିର୍ବାଚନ ପାଇଁ ଲେବର ପାର୍ଟି ଉପରେ ଭାରି ପଡ଼ିଛି। ନିଜକୁ ସଠିକ ପ୍ରମାଣ କରିବାକୁ ଯାଇ ଲେବର ପାର୍ଟି କହିଛି ଯେ, ଭାରତ-ପାକିସ୍ତାନ ସମସ୍ୟାକୁ ଆମେ ଦ୍ଵିପାକ୍ଷିକ ଆଲୋଚନା ଭାବେ ଦେଖୁ।

ଏହା ଯୋଗୁଁ ବ୍ରିଟେନରେ ଥିବା ବିଜେପି ସମର୍ଥକ ଓ ତାଙ୍କ ସହ ଜଡ଼ିତ ବିଭିନ୍ନ ସଂଗଠନ ମଧ୍ୟ ଲେବର ପାର୍ଟି ବିରୋଧୀ ହୋଇଯାଇଛନ୍ତି। ବିଦେଶରେ ବିଜେପିର ପ୍ରଚାର କରୁଥିବା ଆଡଭୋକେସି ଗ୍ରୁପ୍‌ ବ୍ରିଟେନରେ ରହୁଥିବା ଭାରତୀୟ ନାଗରିକଙ୍କୁ ଲେବର ପାର୍ଟିକୁ ଭୋଟ ନଦେବାକୁ ଅପିଲ କରିଛି।

ଅଗଷ୍ଟ ୫ ତାରିଖରେ ମୋଦୀ ସରକାର କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାକୁ ନେଇ ଦେଶ ଭିତରେ ଅନେକ ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଏହା କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଏହି ପ୍ରସଙ୍ଗକୁ ଟାର୍ଗେଟ କରି ନିର୍ବାଚନ ଲଢ଼ାଯାଉଛି।

Comment