ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଦିନକୁ ଏହି ନିଆଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଡେଉଁଛି। ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଯେଉଁ ନିଆଁ ଜଳୁଥିଲା ତାହା ଆଜି ଉଗ୍ରରୂପ ଧାରଣ କରିଥିଲା। ମୋଦୀ ସରକାରଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜରାସ୍ତାକୁ ଓହ୍ଲାଇ ଗର୍ଜିଛନ୍ତି। ଏହି ସଂଶୋଧିତ ଆଇନ ପ୍ରତ୍ୟାହାର କରିନେବାକୁ ମମତା ଦାବି କରିବା ସହ ବହେ ଝାଡ଼ିଛନ୍ତି।

‘‘ଯଦି ମୋ’ ସରକାରକୁ ବରଖାସ୍ତ କରିବାକୁ ଚାହୁଁଛ ତାହାଲେ କରିଦିଅ। କିନ୍ତୁ ନାଗରିକତା ସଂଶୋଧନ ଆଇନ୍‌କୁ ମୁଁ କେବେ ବି ପଶ୍ଚିମବଙ୍ଗରେ ଲାଗୁ କରିବାକୁ ଦେବିନି। ଯଦି ପଶ୍ଚିମବଙ୍ଗରେ ଏହି ଆଇନ୍‌ ଲାଗୁ କରିବାକୁ ଚାହୁଁଥାଅ ତାହାଲେ ମୋ’ ଶବ ଉପରେ ଚଢ଼ିକି ଯିବାକୁ ପଡ଼ିବ’’, ମୋଦୀ ସରକାରଙ୍କୁ ଏଭଳି ଜବାବ ଦେଇ କହିଛନ୍ତି ମମତା ବାନାର୍ଜୀ।

ଏହାସହ ସେ ଆହୁରି କହିଛନ୍ତି ଯେ ଏହି ଆଇନ୍‌କୁ ମୋଦୀ ସରକାର ପ୍ରତ୍ୟାହାର ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ।

ଗତ ଚାରି ଦିନ ହେଲା ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଛି। ବିକ୍ଷୋଭକାରୀମାନେ ବ୍ୟାପକ ହିଂସାକାଣ୍ଡ କରୁଛନ୍ତି। ଚାରି ଦିନ ପରେ ମମତା ବାନାର୍ଜା ପଶ୍ଚିମବଙ୍ଗରେ ବିରାଟ ରାଲି ଆୟୋଜନ କରିବା ସହ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ।

Comment