ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ସଂଶୋଧନ ବିଲକୁ କଂଗ୍ରେସର ବିରୋଧ ପରେ ମୋଦୀ ଦେଲେ ଚାଲେଞ୍ଜ।

“ମୁଁ କଂଗ୍ରେସର ନେତାମାନଙ୍କୁ ଖୋଲାଖୋଲି ଚାଲେଞ୍ଜ୍ କରୁଛି। ସେମାନେ କୁହନ୍ତୁ ଯେ, ପାକିସ୍ତାନର ସବୁ ଲୋକଙ୍କୁ ଭାରତୀୟ ନାଗରିକତା ଦିଆଯାଉ। ଏହାପରେ ଦେଶବାସୀ ସେମାନଙ୍କର ହିସାବ କିତାବ ଠିକ୍ କରିଦେବେ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରାଲିରେ ଯୋଗ ଦେଇ କିଛି ଏଭଳି ଢ଼ଙ୍ଗରେ କଂଗ୍ରେସକୁ ନିଷାଣ କରିଛନ୍ତି ମୋଦୀ। କଂଗ୍ରେସ ପାକିସ୍ତାନ ଓ ବାଂଲାଦେଶର ମୁସଲିମ ଲୋକଙ୍କୁ ନୂଆ ନାଗରିକତା ଆଇନରେ ସ୍ଥାନ ନମିଳିବାକୁ ନେଇ ବିରୋଧ କରୁଛି। ତେଣୁ ମୋଦୀ ଏପରି କଥା କହି କଂଗ୍ରେସକୁ ଚାଲେଞ୍ଜ କରିଛନ୍ତି।ଏହାସହ ମୋଦୀ ଆହୁରି କହିଛନ୍ତି ଯେ, କଂଗ୍ରେସର ବିଭାଜନ ଓ ଶାସନନୀତି ପାଇଁ ଦେଶ ଥରେ ଦୁଇ ଭାଗ ହୋଇସାରିଛି। ତେଣୁ କଂଗ୍ରେସ ନିଜର ଭୋଟ ବ୍ୟାଙ୍କ ରାଜନୀତିକୁ ସୁଦୃଢ଼ ରଖିବା ପାଇଁ ଅନେକ ଅନୁପ୍ରବେଶକାରୀଙ୍କୁ ଭାରତରେ ସ୍ଥାନ ଦେଇଛି। ଅନୁପ୍ରବେଶକାରୀଙ୍କ ପାଇଁ ହିଁ ଦେଶରେ ବିଭିନ୍ନ ପ୍ରକାର ଅସୁବିଧା ଜନ୍ମନେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।CAAକୁ ସାରା ଦେଶରେ ବିରୋଧ        

ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ଚାରିଆଡ଼େ ଜଳାପୋଡ଼ା ଜାରିରହିଛି। କଂଗ୍ରେସ ସମେତ ଅନେକ ଦଳ ଏହି ଆଇନକୁ ଖୋଲାଖୋଲି ବିରୋଧ କରୁଛନ୍ତି। ଏହି ଆଇନରେ ମୁସଲିମ୍ ଧର୍ମର ଲୋକଙ୍କୁ ସ୍ଥାନ ମିଳିନଥିବାରୁ ଏହାକୁ ଅସାମ୍ବିଧାନିକ ଓ ଭାରତର ଧର୍ମନିରପେକ୍ଷତା ପ୍ରତି କୁଠାରଘାତ ବୋଲି କହୁଛନ୍ତି ବିରୋଧୀ। ଉତ୍ତର ପୂର୍ବ ସମେତ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।ଛାତ୍ରଛାତ୍ରୀ ସରକାରଙ୍କ ସହ ଆଲୋଚନା କରନ୍ତୁ

ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଆଇନକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ତେଣୁ ଛାତ୍ରଛାତ୍ରୀଙ୍କୁ ମୋଦୀ ଗଣତାନ୍ତ୍ରିକ ଉପାୟରେ ନିଜର କଥା ରଖିବାକୁ କହିଛନ୍ତି। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ନଓହ୍ଲାଇ ସେମାନଙ୍କ କ୍ଲାସରୁମରେ ଏନେଇ ଆଲୋଚନା ଏବଂ ବିତର୍କ କରନ୍ତୁ। ସେମାନେ ଯେଉଁ ସିଦ୍ଧାନ୍ତରେ ପହଞ୍ଚିଲେ ତା ସମ୍ବନ୍ଧରେ ସରକାରଙ୍କୁ କହନ୍ତୁ। ସରକାର ସେମାନଙ୍କର କଥା ପ୍ରତି ନିଶ୍ଚୟ ଗୁରୁତ୍ୱ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comment