ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି। ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେବା ପରେ ଦିଲ୍ଲୀର ସିଲମପୁର ଏବଂ ଜାଫରାବାଦ୍ ଅଞ୍ଚଳକୁ ଏହି ନିଆଁ ବ୍ୟାପିଛି। ବିକ୍ଷୋଭଗାରୀମାନେ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି।
ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ମାଡ଼ ମଧ୍ୟ କରିଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରି ଦିଆଯାଇଛି। ପରିସ୍ଥିତି ଧିରେ ଧିରେ ନିୟନ୍ତ୍ରଣ ହେଉଥିବା ପୋଲିସ ତରଫରୁ କୁହାଯାଇଛି।
ଆସାମରେ ମଧ୍ୟ ନାଗରିକତା ଆଇନ୍କୁ ବିରୋଧ କରି ହିଂସାକାଣ୍ଡ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଆସାମର କିଛି ସ୍ଥାନରେ କର୍ଫ୍ୟୁ ଲାଗିଥିଲା। ଏବେ ସ୍ଥିତି ସୁଧୁରୁଥିବାରୁ କର୍ଫ୍ୟୁ କୋହଳ କରାଯାଇଛି। ଏପଟେ ଏହି ଆଇନକୁ ବିରୋଧ କରି ଅଲ୍ ଆସାମ ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଏଥିରେ ଆସାମର ସାଧାରଣ ଲୋକ ମଧ୍ୟ ସାମିଲ ହୋଇଛନ୍ତି।


















