ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶରେ ‘ନାଗରିକତା ସଂଶୋଧନ ଆଇନ୍’ ବିରୋଧରେ ତାତି ଥମୁନି। ଲଗାତର ଦୁଇ ଦିନ ପାଇଁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ପୋଲିସ-ବିକ୍ଷୋଭକାରୀଙ୍କ ଭିତରେ ହୋଇଥିବା ଖଣ୍ଡଯୁଦ୍ଧରେ ବିଜନୌରଠାରେ ଶୁକ୍ରବାର ପୁଣି ୨ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ୮ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।
ଆଜି ଥିଲା ଶୁକ୍ରବାର। ଜମା ମସ୍ଜିଦ୍ରେ ନମାଜ ପାଠ ଶେଷ ହେବା ପରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ନାଗରିକତା ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ତଜିଥିଲା। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ବିଜୌନରରେ ଗୁଳି ଚଳାନା କରିଥିଲା। ଏଥିରେ ୨ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ଖବର ଆସିଛି।
ସେହିପରି ଲକ୍ଷ୍ନୌ, କାନପୁର, ସମ୍ଭଲ ଏବଂ ଫିରୋଜବାଦରେ ଜଣେ ଲେଖାଏଁ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି।
ଏପଟେ କାନପୁରରେ ଜୋରଦାର ବିକ୍ଷୋଭ ହୋଇଥିଲା। ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲାଗଠି ମାଡ଼ କରିବାରୁ ୧୩ ଜଣ ଆହତ ହୋଇଥିବା କୁହାଯାଉଛି। ବିକ୍ଷୋଭକାରୀଙ୍କ ପାଲଟା ଆକ୍ରମଣରେ ୫ ଜଣ ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି। ୨୫ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।
ଗୁରୁବାର ଦିନ ଲକ୍ଷ୍ନୌରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ମାଙ୍ଗଲୋରରେ ୨ ଜଣ ପ୍ରାଣ ହରାଇଥିଲେ।


















