ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ର ଆରମ୍ଭରୁ ଅଭିନେତ୍ରୀ ନିକିତା ସାହୁଙ୍କ ରହସ୍ୟଜନକ ମୃତ୍ୟୁକୁ କେମିତି ହଟିଥିଲା ପରଦା। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

୨୦୧୯ ଶେଷ ହେବାକୁ ଆଉ ମାତ୍ର ୧୦ ଦିନ। ଏହି ବର୍ଷ ଅନେକ ଲୋକଙ୍କ ପାଇଁ ଭଲ ରହିଥିବା ବେଳେ କିଛି ଲୋକଙ୍କ ପାଇଁ ଖରାପ ମଧ୍ୟ ରହିଛି। ୨୦୧୯ ବର୍ଷ ଆରମ୍ଭରୁ ହିଁ ସାରା ଓଡ଼ିଶା ପାଇଁ ଏହା ଦୁଃଖର ଖବର ଆଣି ଦେଇଥିଲା। ସମ୍ଵଲପୁରୀ ଆଲବମ୍‌ ହିରୋଇନ୍‌ ସିମରନଙ୍କ ରହସ୍ୟଜନକ ମୃତ୍ୟୁକୁ  ଗୋଟିଏ ଦିନ ନପୂରୁଣୁ ଓଡ଼ିଆ ଅଭିନେତ୍ରୀ ନିକିତା ସାହୁଙ୍କ ରହସ୍ୟଜନକ ମୃତ୍ୟୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ନିକିତା ସାହୁ ତଥା ଲୋକଙ୍କ ଆଗରେ ପରିଚିତ ଏସିପି ନିକିତା ଜାନୁଆରି ୫ ତାରିଖରେ କଟକସ୍ଥିତ କାଙ୍କ ଘର ଛାତ ଉପରୁ ରହସ୍ୟଜନକ ଭାବେ ପଡ଼ି ଜୀବନ ହରାଇଥିଲେ। ଏହାକୁ ନେଇ ପୋଲିସ ଆରମ୍ଭ କରିଥିଲା ଛାନ୍‌ଭିନ୍‌। ଏହା ହତ୍ୟା ନା ଆତ୍ମହତ୍ୟା? ଏହାକୁ ନେଇ ଲୋକଙ୍କ ମନରେ ସସ୍‌ପେନ୍ସ ବଢ଼ିବାରେ ଲାଗିଥିଲା।

ହତ୍ୟା ଅଭିଯୋଗ ଆଣିଲେ ନିକିତାଙ୍କ ବାପା

ନିକିତାଙ୍କ ମୃତ୍ୟୁ ଘଟଣାର ଦୁଇଦିନ ପରେ ହଠାତ୍‌ ନେଇଥିଲା ନୂଆ ମୋଡ଼। ନିକିତାଙ୍କ ବାପା ସନାତନ ବେହେରା ଆଣିଥିଲେ ହତ୍ୟା ଅଭିଯୋଗ। ନିକିତାଙ୍କୁ ତାଙ୍କ ସ୍ଵାମୀ ଛାତରୁ ଠେଲି ହତ୍ୟା କରିଛନ୍ତି ବୋଲି ସନାତନ ଅଭିଯୋଗ କରିଛନ୍ତି। ଏଥିସହ ଶାଶୂ ଘର ଲୋକେ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ସେ ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଲିପନ ସାହୁ, ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍‌ ମାମଲା ରୁଜୁ କରିଥିଲା। ନିକିତାଙ୍କ ସ୍ୱାମୀ ଲିପନ୍‌ ସାହୁଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଥିଲା।

ନିକିତାଙ୍କୁ ଛାତ ଉପରୁ ଠେଲି ଦେଇଥିବା ମାନିଲେ ସ୍ଵାମୀ

ଜାନୁଆରି ୮ ତାରିଖରେ ସାମ୍ନାକୁ ଆସିଥିଲା ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁର ସତ। ଛାତ ଉପରେ ସ୍ୱାମୀଙ୍କ ସହ ଠେଲାପେଲା ଯୋଗୁଁ ଛାତ ଉପରୁ ତଳକୁ ନିକିତା ଖସିପଡିଥିବା ଡିସିପି କହିଥିଲେ। ଘଟଣା ଦିନ ସ୍ୱାମୀଙ୍କ ସହ ହୋଇଥିଲା ମନୋମାଳିନ୍ୟ। ଏହା ପରେ ଉଭୟ ଛାତ ଉପରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ଯୋଗୁଁ ନିକିତା ତଳକୁ ଖସିପଡିଥିବା ଡିସିପି ଅଖିଳେଶ୍ୱର ସିଂ ସ୍ପଷ୍ଟ କରିଥିଲେ। ବାହାଘରର ୪ ମାସ ପରେ ନିକିତା ଓ ତାଙ୍କ ସ୍ୱାମୀ ଲିପୁନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ପରେ ନିକିତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଏମିତି ଥିଲା ପୂରା ଘଟଣା

ନିକିତା ଓ ଲିପନ୍‌ ପରସ୍ପରକୁ ଭଲ ପାଉଥିଲେ। ଦୁହେଁ ଉଭୟ ପରିବାରର ସମ୍ମତିରେ ୨୦୧୬ ନଭେମ୍ବରରେ ବିବାହ କରିଥିଲେ। ୨୦୧୭ ଜୁନ୍‌ ପର୍ଯ୍ୟନ୍ତ ନିକିତା ଶାଶୂ ଘରେ ରହୁଥିଲେ। ଏହାପରେ ସେ ଅଧିକାଂଶ ସମୟ କଟକସ୍ଥିତ ମହାନଦୀ ବିହାରରେ ରହୁଥିବା ବାପାଙ୍କ ପାଖରେ ଆସି ରହୁଥିଲେ। ନିକିତା ଓ ତାଙ୍କ ସ୍ଵାମୀ ଲିପନ୍‌ଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ୪ ଜାନୁଆରି ୨୦୧୯ ରାତିରେ ଲିପନ୍‌ ନିକିତାଙ୍କ ପାଖକୁ ଆସିଥିଲେ। ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ  ଯୁକ୍ତିତର୍କ ହୋଇଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ଲିପନ୍‌ ନିକିତାଙ୍କୁ ନେଇ ଛାତ ଉପରକୁ ଯାଇଥିଲେ। ଛାତ ଉପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ପରେ ନିକିତାଙ୍କ ଚିତ୍କାର ଓ ପଡ଼ିଯିବା ଭଳି ଶବ୍ଦ ଶୁଣାଯାଇଥିଲା। ପରିବାର ଲୋକ ବାହାରକୁ ଆସି ରକ୍ତାକ୍ତ ଅବସ୍ଥାରେ ନିକିତାଙ୍କୁ ପଡ଼ିଥିବାର ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ନିକିତାଙ୍କ ଅଭିନୟ କ୍ୟାରିୟର

ନିକିତା ଓଡ଼ିଆ ଆଲବମ୍‌, ସିରିଏଲ ଓ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି। ତୁ ମୋ ଆଖିର ତାରା, ମିତ ବସିଛି ମୁଁ ଭୂତ ସାଥୀରେ, ଚୋରି ଚୋରି, ମଥାରେ ଦେଇ ପାଟ ଓଢ଼ଣୀ, ଗୁଣ୍ଡା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେହିପରି ଲୋକପ୍ରିୟ ସିରିଏଲ୍‌ ତପସ୍ୟା ଓ ଏସିପି ନିକିତାରେ ମଧ୍ୟ ସେ ଅଭିନୟ କରିଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment