ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ରେ କଟକ ସହରରେ ଟ୍ରିପଲ ମର୍ଡର କରି କେମିତି ଧରା ପଡ଼ିଥିଲା ସାଇକୋ କିଲର। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

୨୦୧୯ ସରିବା ପୂର୍ବରୁ ନଜର ପକାଇବା ଏହି ବର୍ଷ ଘଟିଥିବା ବଡ଼ ଅପରାଧ ଉପରେ। ଏହି ବର୍ଷ ଘଟିଥିବା ଅପରାଧ ଭିତରେ କଟକରେ ମାତିଥିବା ସାଇକୋ କିଲର କଟକବାସୀଙ୍କ ନିଦ ହଜାଇ ଦେଇଥିଲା। ୨୪ ଘଣ୍ଟାରେ ୩ଜଣ ଲୋକଙ୍କ ତଣ୍ଟିକାଟି ହତ୍ୟା କରି ଛୁ ମାରିଥିଲା ସାଇକୋ କିଲର। ଏହାକୁ ନେଇ ଲୋକଙ୍କ ମନରେ ଭୟ ଘାରିଥିଲା। ସନ୍ଧ୍ୟା ହେଉଥିଲେ ଲୋକ ଘରୁ ବାହାରିବାକୁ ଡରୁଥିଲେ।

ଏହି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା। ଘଟଣାକୁ ତିନିଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତରେ କୌଣସି ସୁରାକ ଲାଗି ନଥିଲା। ଶେଷରେ ରାଜନେତା, ସମାଜକର୍ମୀମାନେ ରାସ୍ତାକୁ ଓହ୍ଲାଇ ରାତିରେ ବାହାରେ ନବୁଲିବାକୁ ଲୋକଙ୍କୁ ସଚେତନ କରାଇଥିଲେ।

କଟକରେ ୩ ହତ୍ୟାକାଣ୍ଡ

ଜୁଲାଇ ୨୨ ତାରିଖରେ ରାଣିହାଟ ପୋଲ ପାଖରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଜବତ କରାଯାଇଥିଲା। ଯୁବକଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଥିଲା। ଏହି ଘଟଣାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଥିଲା। ଘଟଣାକୁ କିଛି ଘଣ୍ଟା ନପୂରୁଣୁ କଟକ ଓଏମ୍‌ପି ଛକରେ ଆଉ ଜଣେ ବ୍ୟକ୍ତିଙ୍କ ସମାନ ଢଙ୍ଗରେ ଗଳା କାଟି ହତ୍ୟା କରାଯାଇଥିଲା। ଘଟଣାକୁ ନେଇ ପୋଲିସର ଚିନ୍ତା ବଢ଼ି ଯାଇଥିଲା। ହତ୍ୟାକାରୀ ସମାନ ଲୋକ ବୋଲି ପୋଲିସ ଜାଣି ସାରିଥିଲା। ପୁଣି ମଙ୍ଗଳବାଗ ମେଡିକାଲ ରୋଡରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ମଧ୍ୟ ଗଳା କାଟି ହତ୍ୟା କରାଯାଇଥିଲା। ଏହି ଘଟଣା ପୂରା ଟୁଇନ ସିଟିକୁ ଦୋହଲାଇ ଦେଇଥିଲା। ପୋଲିସ ହତ୍ୟାକାରୀକୁ ଧରିବାକୁ ରାତି ସାରା ପଇଁତରା ମାରୁଥାଏ। ହେଲେ ମଧ୍ୟ ହତ୍ୟାକାରୀକୁ ଧରିବାରେ ବିଫଳ ହୋଇଥିଲା।

ଟାର୍ଗେଟରେ ଥିଲେ ଦିନମଜୁରିଆ

ହତ୍ୟା ହୋଇଥିବା ୩ ଜଣ ବ୍ୟକ୍ତି ଥିଲେ ଦିନ ମଜୁରିଆ। ଅର୍ଥାତ ସାଇକୋ କିଲରର ଟାର୍ଗେଟରେ କେବଳ ଦିନମଜୁରିଆ ଥିଲେ। ଯେଉଁମାନେ ଯାଯାବର ଭାବେ ବାହାରେ ଶୋଇଥାନ୍ତି। ସେମାନଙ୍କୁ କିଏ? କାହିଁକି ମାରିବ? ଏମିତି ପ୍ରଶ୍ନ ପୋଲିସ ମନରେ ରହିଥାଏ। ଏନେଇ ରାତିରେ ଶୋଉଥିବା ଯାଯାବରମାନଙ୍କୁ ସଚେତନ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଗଲା।

କେମିତି ଧରା ପଡ଼ିଲା ସାଇକୋ କିଲର?

ସାଇକୋ କିଲର ଭୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ଏପଟେ ପୋଲିସର ନିଦ ହଜି ଯାଇଥିଲା। ସାଇକୋ କିଲରକୁ ଧରିବାକୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଏହାସହ ରାତିସାରା ପୋଲିସ ପଇଁତରା ମାରୁଥାଏ। ଶେଷରେ ସାଇକୋ କିଲର ସନ୍ଦେହରେ ମଙ୍ଗଳାବାଗରେ କିଛି ଯୁବକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ହାତରେ ଦେଇଥିଲେ। ଅଟକ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲାର ନାରାୟଣ ସାହୁ। ପୋଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଥିଲା। ଯୁବକ ଜଣକ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଥିଲା।

ଧରା ପକାଇଦେଲା ସିସିଟିଭି

ଜେରା ବେଳେ କୌଣସି ସତ ମାନି ନଥିଲା ନାରାୟଣ। ହେଲେ ହତ୍ୟାକାଣ୍ଡ ହୋଇଥିବା ଅଞ୍ଚଳରେ ସିସିଟିଭି ଯାଞ୍ଚ ପରେ ଘଟଣା ସାମ୍ନାକୁ ଆସିଥିଲା। ହତ୍ୟାକାରୀ ନାରାୟଣ ବୋଲି ଜଣାପଡ଼ିଥିଲା। ପୋଲିସ ଘଟଣାକୁ ନେଇ ପୁଣି ଜେରା କରିବା ପରେ ସତ ମାନିଥିଲା ନାରାୟଣ ସାହୁ।

କାହିଁକି କରିଥିଲା ହତ୍ୟା?

ଓଏମ୍‌ପି ଛକ ପାରଳା ମହାରାଜ ପାର୍କ ପାଖରେ ଗଲା ତିନି ମାସ ହେବ ଅଭିଯୁକ୍ତ ନାରାୟଣ ସାହୁ ରହି ଆସୁଥିଲା। ପାର୍କ ପଛପଟେ ଥିବା ପାଚେରୀ କାନ୍ଥରେ ଜରିପାଲ ଟାଙ୍ଗି ରହୁଥିଲା। ମାତ୍ର କିଛି ଦିନ ଭିତରେ ତାର ଏହି ପାଲ ଟଙ୍ଗା ଘରକୁ କେହି ନିଆଁ ଲଗାଇ ପୋଡ଼ି ଦେଇଥିଲା। ପରେ ଏହାଠାରୁ ସାମାନ୍ୟ ଦୂରରେ ସେ ପୁଣି ପାଲ ଟାଙ୍ଗି ଆଉ ଏକ ଘର କରି ରହିବାକୁ ଲାଗିଲା। ପାର୍କର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଦର୍ଶାଇ ତାର ଏହି ଘରକୁ ମଧ୍ୟ କିଛି ଲୋକ ଭାଙ୍ଗି ଦେଲେ। ଶେଷରେ ସେ ପାର୍କ ପାଖରୁ ଚାଲିଯାଇ ମାଲଗୋଦାମ ଓଭରବ୍ରିଜ୍ ଆରମ୍ଭ ହେଉଥିବା ସ୍ଥାନର ଡାହାଣ ପଟେ ପାଲ ଟାଙ୍ଗି ଏକ ଘର କରି ରହିଥିଲା। ତେବେ ତାର ଘର ପୋଡ଼ିବା ଓ ଘର ଭାଙ୍ଗିବା ଘଟଣାରେ ନିକଟର କିଛି ଲୋକ ସଂପୃକ୍ତ ଥିଲେ ବୋଲି ସେ ସନ୍ଦେହ କରୁଥିଲା। ଏଥିପାଇଁ ତା’ ମନରେ ଭିଷଣ ରାଗ ମଧ୍ୟ ଥିଲା।

ଜୁଲାଇ ୨୪ ତାରିଖ ଭୋର ସମୟରେ ସେ ନିଜ ପାଲଟଙ୍ଗା ଘରୁ ଉଠିଥିଲା। ପାଖରେ ରଖିଥିବା ଟାଙ୍ଗିଆକୁ ନେଇ ପ୍ରଥମେ ପାରଳା ପାର୍କ ପାଖକୁ ଯାଇଥିଲା। ପାର୍କ ସମ୍ମୁଖରେ ପଣ୍ଡା ନାମକ ଯୁବକ ଶୋଇଥିବା ସେ ଦେଖିବାକୁ ପାଇଲା। ଏହା ପରେ ସେ ଯୁବକର ବେକକୁ ଟାଙ୍ଗିଆରେ କାଟିଦେଇଥିଲା। ମାତ୍ର ଏହି ସମୟରେ ପାର୍କ କଡ଼ରେ ଶୋଇଥିବା ଆଉ ଜଣେ ବୃଦ୍ଧ ହଠାତ୍ ନିଦରୁ ଉଠିପଡ଼ିଲେ। ଏହି ବୃଦ୍ଧଙ୍କୁ ଦେଖି ନାରାୟଣ ହଡ଼ବଡ଼ାଇ ଯାଇଥିଲା। ସେ ତୁରନ୍ତ ଧରିଥିବା ଟାଙ୍ଗିଆରେ ଉକ୍ତ ବୃଦ୍ଧଙ୍କ ବେକକୁ କାଟି ଦେଇଥିଲା। ହେଲେ ରାଣିହାଟ ହତ୍ୟା ଘଟଣାକୁ ନେଇ ମୁହଁ ଖୋଲି ନଥିଲା ନାରାୟଣ।

କିଏ ନାରାୟଣ ସାହୁ?

ନାରାୟଣ ଜଣେ ସାଇକିଆଟ୍ରିକ ରୋଗୀ। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ। କୌଣସି କାରଣରୁ ତାଙ୍କ ମାନସିକ ରୋଗ ବାହାରିବାରୁ ସେ ଘର ଛାଡ଼ି କେଉଁ ଆଡ଼େ ପଳେଇଥିଲେ। ଘଟଣାର କିଛିଦିନ ତଳେ କଟକ ଏସସିବିରେ ଚିକିତ୍ସା ହେଉଥିଲେ। କିଛିଦିନ ହେବ ହସ୍ପିଟାଲରୁ ମଧ୍ୟ କେଉଁ ଆଡ଼େ ଚାଲିଯାଇଥିଲେ। ପରେ ସେ ଓଏମ୍‌ପିରେ ଯାଇ ରହୁଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment