ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ପ୍ରଦାନ କରାଗଲା ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ। ରାଷ୍ଟ୍ରପତି ଭବନରେ ସ୍ଵତନ୍ତ୍ର ଉତ୍ସବରେ ସମ୍ମାନିତ କଲେ ରାଷ୍ଟ୍ରପତି। ଦାଦା ସାହେବ ଫାଲ୍‌କେ ସିନେ ଜଗତର ସର୍ବୋଚ୍ଚ ପୁରସ୍କାର। ଏହି ପୁରସ୍କାର ପାଇ ବିଗ୍‌ ବି ଅମିତାଭ ଖୁସି ବ୍ୟକ୍ତ କରିଛନ୍ତି।

ଏନେଇ ସେ କହିଛନ୍ତି, “ମୋତେ ପୁରସ୍କାର ପାଇଁ ଯୋଗ୍ୟ ମନେ କରିଥିବାରୁ ମୁଁ କୃତଜ୍ଞ। ସରକାରଙ୍କ ଏହି ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ଵୀକାର କରୁଛି। ମୋ ଅଭିନୟକୁ ପସନ୍ଦ କରୁଥିବା ଅଗଣିତ ଦର୍ଶକଙ୍କୁ ମଧ୍ୟ ଧନ୍ୟବାଦ।”

ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ହେଉଛି ଭାରତୀୟ ସିନେମା ଜଗତର ସର୍ବଶ୍ରେଷ୍ଠ ସମ୍ମାନ। ଉତ୍କୃଷ୍ଟ ଅଭିନୟ ଏବଂ ଦୀର୍ଘ ବର୍ଷ ଧରି ହିନ୍ଦୀ ସିନେମାରେ ଯୋଗଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ।

ଦୀର୍ଘ ୫୦ ବର୍ଷ ଧରି ବିଗ୍‌ ବି ଅମିତାଭ ବଚ୍ଚନ ବଲିଉଡ୍‌ରେ ନିଜ ଅଭିନୟର ଯାଦୁ ଦେଖାଉଛନ୍ତି। ଭାରତୀୟ ସିନେମାରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପୂର୍ବରୁ ୨୦୧୭ ମସିହାରେ ଅଭିନେତା ବିନୋଦ ଖନ୍ନାଙ୍କୁ  ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Comment