ଓଡ଼ିଶାଲାଇଭ୍ ବ୍ୟୁରୋ

ଇତି ମଧ୍ୟରେ ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ସହ ବିଭାଗ ବଣ୍ଟନ ଓ ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ ଶେଷ ହେବାକୁ ଯାଉଥିବା ବେଳେ ସଚିବାଳୟରେ କିଏ କେଉଁଠି ବସିବ ତାହାର ବ୍ୟବସ୍ଥା ବି ସରିଛି। ହେଲେ ମନ୍ତ୍ରୀମାନେ ବସୁଥିବା ଏକ ନିର୍ଦ୍ଦିଷ୍ଟ ଚାମ୍ବରକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି।

ମନ୍ତ୍ରାଳୟର ଷଷ୍ଠ ତାଲାରେ ଥିବା ୬୦୨ ନମ୍ବର କ୍ୟାବିନକୁ ନେବା ପାଇଁ କେହି ବି ଆଗ୍ରହୀ ନୁହନ୍ତି। ଏହି ଚାମ୍ବରକୁ ନେଇ କିଛି ଅନ୍ଧବିଶ୍ୱାସ ରହିଥିବା ହେତୁ ଏହାକୁ ନେବା ପାଇଁ ସମସ୍ତେ ଭୟ କରୁଛନ୍ତି। କୁହାଯାଏ ଏହି ଚାମ୍ବରରେ ବସୁଥିବା କୌଣସି ମନ୍ତ୍ରୀ ତାଙ୍କର ପୂରା କାର୍ଯ୍ୟକାଳ ଶେଷ କରିପାରନ୍ତି ନାହିଁ।

ପ୍ରଶସ୍ତ ଓ ଭିଡିଓ କନ୍‌ଫରେନ୍ସିଂ ସୁବିଧା ଥିବା ସଚିବାଳୟରେ ଏହି ତିନି ହଜାର ବର୍ଗ ଫୁଟର ରୁମକୁ କୌଣସି ମନ୍ତ୍ରୀଙ୍କୁ ଏଥର ଆବଣ୍ଟନ କରାଯାଇନାହିଁ। ପୂର୍ବରୁ ଏହି ଚାମ୍ବରକୁ ମହାରାଷ୍ଟ୍ରର କ୍ଷମତା କେନ୍ଦ୍ର କୁହାଯାଉଥିଲା। ମୁଖ୍ୟମନ୍ତ୍ରୀ, ବରିଷ୍ଠ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସଭିଏଁ ଏଠି ବସୁଥିଲେ। କିନ୍ତୁ କିଛି ବର୍ଷ ଧରି ଏହା ଏକ ଭୁତ କୋଠିରେ ପରିଣତ ହୋଇଛି। ଏକ ଅନ୍ଧବିଶ୍ୱାସ କେମିତି ଗୋଟିଏ ସୁସଜ୍ଜିତ ଚାମ୍ବରକୁ ପରିତ୍ୟକ୍ତ ଗୃହରେ ପରିଣତ କରିଦେଇପାରେ ୬୦୨ ନମ୍ବର ତାହାର ପ୍ରମାଣ।

Comment