ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ପୋର୍ଟସ କ୍ୟାପିଟାଲରେ ସ୍ପୋର୍ଟସ୍‌ ଆଇଟି। ଖେଳ ପ୍ରତି ଉଦ୍ୟୋଗୀ ଓ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ସରକାରଙ୍କ ଭିନ୍ନ ପ୍ରୟାସ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଜାଭିୟର ଏମଲୋଏନ ବିଜନେସ ସ୍କୁଲ ଓ ଓଡ଼ିଶା ସରକାରଙ୍କ କ୍ରିଡ଼ା ଓ ଯୁବ ବ୍ୟାପାର ବିଭାଗର ମିଳିତ ସହଯୋଗରେ ସ୍ପୋର୍ଟସ୍‌ ଆଇଟି-୨୦୨୦ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଉଦ୍ୟୋଗୀମାନେ କିପରି ଓଡ଼ିଶାରେ ଖେଳ ପାଇଁ ନିବେଶ କରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି।

ହକି ସହ ଅନ୍ୟ ସବୁ ଖେଳକୁ ପ୍ରାଧାନ୍ୟ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହାସହ ଖେଳାଳିମାନଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ଦିଆଯିବ। ଖେଳକୁ ବିଜନେସର ଏକ ମାଧ୍ୟମ ଭାବେ ପିରଣତ କରିବା ଲକ୍ଷ୍ୟରେ ରହିଛନ୍ତି ରାଜ୍ୟ ସରକାର।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଜାଭିୟର ଏମ୍‌ଲୋଏନ୍‌ ବିଜନେସ ସ୍କୁଲ ଓ କ୍ରିଡ଼ା ବିଭାଗର ଏଭଳି ଅଭିନବ ପ୍ରୟାସ ପ୍ରଶଂସନୀୟ। ସ୍ପୋର୍ଟସ୍‌ ଆଇଟି କାର୍ଯ୍ୟକ୍ରମ ଭାରତରେ ପ୍ରଥମଥର ପାଇଁ ହୋଇଛି, ଯାହାକି ଭୁବନେଶ୍ଵରରେ ଆୟୋଜିତ କରାଯାଇଛି। ଏହାସହ ଆମେ ଏକ ପ୍ଲାଟଫର୍ମ କରିବାକୁ ଚାହୁଁଛୁ, ଯୋଉଥିରେ କ୍ରିଡ଼ାବିତ, ସ୍ପୋର୍ଟସ ଷ୍ଟାଟଅପ୍‌ ଓ ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିଜ ନିଜ ଭିତରେ ଜ୍ଞାନର ଆଦାନ ପ୍ରଦାନ କରିବେ।”

ଏହି ଅବସରରେ ନବୀନ ପଟ୍ଟନାୟକ ଦିଲ୍ଲୀର ସ୍ପୋର୍ଟସ୍‌ ପ୍ଲାଟଫର୍ମ ଫନଗଜକୁ ଶ୍ରେଷ୍ଠ ଷ୍ଟାର୍ଟଅପ୍‌ ଆଓ୍ଵାର୍ଡ ପ୍ରଦାନ କରିଥିଲେ। ଏହାସହ ହ୍ୟାକଥନ୍‌ ପ୍ରତିଯୋଗୀତା ଜିତିଥିବା ଟେନିସ ଖେଳାଳି ଚିନ୍ମୟ ପ୍ରଧାନ, ପାରା ଆଥଲେଟ ଦିଲେଶ୍ଵର ରାଓ, ନାଭାଲ ଟାଟା ହକି ଏକାଡେମିର ମ୍ୟାନେଜର ଦେବାଶିଷ ନାୟକ, ବାସକେଟ ବଲ୍‌ ରାଜେଶ ସିଂହଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏମ୍‌ଏସ୍‌ଏମ୍‌ଇ ଓ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ କ୍ରିଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧୨ ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଖେଳ ଓ ଯୁବ ସେବା ବିଭାଗର ସଚିବ ବିଶାଲ କୁମାର ଦେବ, ଖେଳ ନିର୍ଦ୍ଦେଶକ ଆର୍‌ ଭିନିଲ କ୍ରିଷ୍ଣା, ଜାଭିୟର ୟୁନିଭରସିଟିର କୁଳପତି ମଧ୍ୟ ଉପସ୍ଥିତ ଥିଲେ। ଏହାସହ ଏଥିରେ ୧୬୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Comment