ଓଡ଼ିଶାଲାଇଭ୍ ବ୍ୟୁରୋ

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ନିଷ୍ପତ୍ତିକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ସରକାରୀ କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ସଭାପତି ରହିବେ ନାହିଁ ବୋଲି ଇତି ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ସତ ହେଲେ ଏହି ନିଷ୍ପତ୍ତିକୁ ଶ୍ରମମନ୍ତ୍ରୀ ସୁଶାନ୍ତ କୁମାର ସିଂହ ବିରୋଧ କରିଛନ୍ତି। ତେଣେ ମନ୍ତ୍ରୀମଣ୍ଡଳର ଅନ୍ୟ ଜଣେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅରୁଣ ସାହୁଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।“ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତିରେ ମୋର ହୃଦବୋଧ ହୋଇନାହିଁ।ଏଭଳି ନିଷ୍ପତ୍ତି କାହିଁକି ନିଆଗଲା ତାହା ମୋ ସମଝକୁ ଆସୁନାହିଁ। ନେତା ବା ବିଧାୟକମାନଙ୍କୁ କଲେଜ ମ୍ୟାନେଜିଂ କମିଟିର ଅଧ୍ୟକ୍ଷ କରାନଯାଇପାରେ କିନ୍ତୁ କଲେଜର ସର୍ବାଙ୍ଗୀନ ଉନ୍ନତି ତଦାରଖ କରିବା ପାଇଁ ସେମାନେ କମିଟିରେ ନିହାତି ରହିବା ଦରକାର”, କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।

ତାଙ୍କ କହିବା କଥା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବ୍ୟସ୍ତ ରହୁଥିବାରୁ ବିଧାୟକମାନେ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ରହିବା ହୁଏତ ସମ୍ଭବ ନୁହେଁ କିନ୍ତୁ ସେମାନଙ୍କୁ କମିଟିରୁ ପୂରାପୂରି ବାହାରେ ରଖିବା ଠିକ୍ ନୁହେଁ। ବିଧାୟକଙ୍କ ଦାୟିତ୍ୱ ହେଉଛି ତାଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ସ୍କୁଲ କଲେଜ ଗୁଡ଼ିକର ଉନ୍ନତି ଓ କାର୍ଯ୍ୟଧାରା ଉପରେ ନଜର ରଖିବା। ଏହି ପ୍ରସଙ୍ଗରେ ସେ ଅରୁଣ ସାହୁଙ୍କ ସହ କଥାବାର୍ତ୍ତା କରିବେ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି।

Comment