ଓଡ଼ିଶାଲାଇଭ୍‌ ବ୍ୟୁରୋ

ବସ୍‌ ଓ ଟ୍ରାକ୍ଟର ଧକ୍କା ହେବା ପରେ ଜରିମାନା ଠୁଙ୍କିଲା ପରିବହନ ବିଭାଗ। ଟ୍ରାକ୍ଟରକୁ ୫୩ ହଜାର ଦୁଇଶହ ଟଙ୍କା ଫାଇନ୍‌ କରାଯାଇଥିବା ବେଳେ ବସ୍‌କୁ ୨୭ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ।

ରବିବାର ସମ୍ବଲପୁର ଯୁଯୁମାରା ଥାନା ଏନ୍‌ଏଚ୍‌ ୫୫ରେ ଟ୍ରାକ୍ଟରକୁ ବସ୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଓ ପରିବହନ ବିଭାଗ ଯାଞ୍ଚ ବେଳେ ଦୁଇ ଗାଡ଼ିର କାଗଜପତ୍ର ଠିକ୍‌ ନଥିବାରୁ ମୋଟା ଅଙ୍କର ଫାଇନ୍‌ କାଟିଛି ପରିବହନ ବିଭାଗ।

ଟ୍ରାକ୍ଟରର ବକେୟା ଟିକସ ୧୬ ହଜାର ୨୦୦, ପରମିଟ୍‌ ପାଇଁ ୧୦ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ଫିଟ୍‌ନେସ୍‌ ପାଇଁ ୫ ହଜାର, ଇନ୍‌ସ୍ୟୁରାନ୍ସ ପାଇଁ ୨ ହଜାର, ଲାଇସେନ୍ସ ପାଇଁ ୫ ହଜାର, ଫିଟ୍‌ନେସ୍‌ ନଥିବାରୁ ୫ ହଜାର ଫାଇନ୍‌ ଲଗାଇଛି।

ସେହିପରି ଯାତ୍ରୀବାହୀ ବସ୍‌ର ପରମିଟ୍‌ ନଥିବାରୁ ୧୦ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ଫିଟ୍‌ନେସ୍‌ ପାଇଁ ୫ ହଜାର, ବୀମା ପାଇଁ ୨ ହଜାର ଫାଇନ୍‌ ଲଗାଇଛି ପରିବହନ ବିଭାଗ।

ରିଆମାଳରୁ ସମ୍ବଲପୁର ଅଭିମୂଖେ ଯାଉଥିବା ପ୍ରଧାନ ନାମକ ଘରୋଇ ବସ୍‌ ପାଞ୍ଚ ଜଣ ଶ୍ରମିକଙ୍କୁ ବସାଇ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଗୁରୁତର ଭାବେ ଆହତ ହୋଇଥିବା ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।

Comment