ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରସ୍ତାବିତ ବିଧାନ ପରିଷଦକୁ କେନ୍ଦ୍ର ସରକାର ସମର୍ଥନ କରିବେ? ଯଦି ଶାସକ ଦଳର ନେତାମାନଙ୍କ ଉତ୍ସାହକୁ ଲକ୍ଷ୍ୟ କରାଯାଏ,ଏହା ନିଶ୍ଚିତ ଭାବରେ ହେବ ଓ ଶୀଘ୍ର ସମ୍ଭବ ହେବ। ଯଦିଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ସେଠାକାର ସରକାର ବିଧାନ ପରିଷଦ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଏହା ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଦଳର ଜଣେ ତୁଙ୍ଗ ନେତା।
ବିଜେଡ଼ି ପାର୍ଲାମେଣ୍ଟ ଦଳର ନେତା ପିନାକୀ ମିଶ୍ର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା କଥା ପୂରା ଅଲଗା। ଉଲ୍ଲେଖ କରାଯାଇପାରେ ଯେ ଗତ ସେପ୍ଟେମ୍ବର ୬ ତାରିଖରେ ବିଧାନ ପରିଷଦ ଗଠନ ନେଇ ଏକ ବିଲ ବିଧାନସଭାରେ ଗୃହୀତ ହୋଇଥିଲା। ଏହି ବିଲର ଆଲୋଚନା ସମୟରେ ଅବଶ୍ୟ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା ଓ ଦୁଇ ବିରୋଧୀ ଦଳ ଗୃହତ୍ୟାଗ କରିଥିଲେ।
ବ୍ୟବସ୍ଥା ଅନୁସାରେ ଓଡ଼ିଶାର ଏହି ପ୍ରସ୍ତାବକୁ ପ୍ରଥମେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବେ। ତା’ ପରେ ଯାଇ ଏସଂକ୍ରାନ୍ତରେ ଏକ ବିଲ ପାର୍ଲାମେଣ୍ଟରେ ଅଣାଯିବ। ଯେହେତୁ ବିଭିନ୍ନ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ ପାସ ସମୟରେ ମୋଦୀ ସରକାର ବିଜେଡିର ସମର୍ଥନ ଲାଭ କରିଛନ୍ତି ଏଣୁ ଓଡ଼ିଶାର ବିଧାନ ପରିଷଦ ଗଠନ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିବେ ଏହା ଜଳଜଳ ଦେଖାଯାଉଛି।


















