ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷ ହୋଇଛି ଦଲ୍ଲୀ ବିଧାନସଭା ପାଇଁ ଭୋଟ। ମୋଟ ୭୦ଟି ଆସନ ପାଇଁ ଉତ୍ସାହର ସହ ଭୋଟ ଦେଇଛନ୍ତି ଦିଲ୍ଲୀ ଭୋଟର। ଲମ୍ବା ଲାଇନ୍‌ ଲଗାଇ ଭୋଟ ଦେଇଛନ୍ତି ଦିଲ୍ଲୀବାସୀ। ତେବେ ଏହି ଭିଡ଼ ଭିତରେ ଜଣେ ବରିଷ୍ଠ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ସେ ହେଉଛନ୍ତି କାଲିତରା ମଣ୍ଡଳ। ତାଙ୍କ ବୟସ ୧୧୧।

ଦିଲ୍ଲୀର ସି ପି ପାର୍କ ଅଞ୍ଚଳର ଏକ ବୁଥ୍‌ରେ କାଲିତରା ମଣ୍ଡଳ ଭୋଟ ଦେବାକୁ ପହଞ୍ଚିଥିଲା। ସେ ତାଙ୍କ ନାତି ନାତୁଣୀଙ୍କ ସହ ଭୋଟ ଦେବାକୁ ବୁଥ୍‌ ନିକଟରେ ପହଞ୍ଚିବା ପରେ ସେ ବିଭିନ୍ନ ଟିଭ ଚ୍ୟାନେଲ କ୍ୟାମେରାରର ଫୋକସ୍‌ରେ ରହିଥିଲେ। ବୁଥ୍‌କୁ ଯାଇ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ।

‘‘ଚଳିତ ନିର୍ବାଚନରେ ଭୋଟ ଦେଇଥିବାରୁ ମୁଁ ବହୁତ ଖୁସି। ମୋ’ ଜୀବନରେ ଏମିତି କେତେ ନିର୍ବାଚନ ଗଲାଣି। ସବୁ ନିର୍ବାଚନରେ ମୁଁ ମୋ’ ଅଧିକାର ସାବ୍ୟସ୍ତ କରିଛି। ଜଣେ ଦାୟିତ୍ୱବାନ ନାଗରିକ ଭାବେ ସମସ୍ତେ ଭୋଟ ଦେବା ଦରକାର’’, କହିଛନ୍ତି କାଲିତରା ମଣ୍ଡଳ।

୧୯୦୮ରେ ତତ୍କାଳୀନ ବାଂଲାଦେଶର ବାରିସାଲରେ ଜନ୍ମ ଗ୍ରହଣ କରିଥିଲେ କାଲିତରା। ଦେଶ ବିଭାଜନ ବେଳେ ତାଙ୍କ ପରିବାର ଭାରତରେ ରହି ଯାଇଥିଲେ। ନୂଆଦିଲ୍ଲୀରେ ଘର କରି ରହିଥିଲେ।

ଗତ ଏକ ଶତାବ୍ଦୀ ଧରି କାଲିତରା ବିଭିନ୍ନ ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି। ଆଜିକାର ଯୁବପିଢ଼ି ଭୋଟ ଦେବାକୁ ଦୂରେଇ ଯାଉଥିବା ବେଳେ ୧୧୧ ବର୍ଷିୟ କାଲିତରା ସେମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କାଲିତରା ପୂର୍ବରୁ ବାଲ୍‌ଟ ପେପରରେ ଭୋଟ ଦେଇଥିବା ବେଳେ ଏବେ ସେ ଇଭିଏମ୍‌ରେ ଭୋଟ ଦେଉଛନ୍ତି। ଆଜି ସେ ମତଦାନ କରିବା ବେଳେ ବାଲଟ ବକ୍ସ କଥା ମନେପକାଇଥିଲେ।

‘‘୧୧୧ ବର୍ଷ ବୟସରେ କାଲିତରା ମଣ୍ଡଳ ଉତ୍ସାହର ସହ ଭୋଟ ଦେବାକୁ ଆସୁଛନ୍ତି, ଏହା ବଡ଼ କଥା। କାଲିତରା ହେଉଛନ୍ତି ଯୁବ ଭୋଟରଙ୍କ ପାଇଁ ଆଦର୍ଶ। ମୁଁ ତାଙ୍କୁ ଏସ୍‌କର୍ଟ କରି ତାଙ୍କ ଘରୁ ବୁଥ୍‌ ପର୍ଯ୍ୟନ୍ତ ଆଣିଥିବାରୁ ମୁଁ ବହୁତ ଖୁସି’’, କହିଛନ୍ତି ଅତିରିକ୍ତ ନିର୍ବାଚନ ଅଧିକାରୀ ହରିଶ କୁମାର।

Comment