ଓଡ଼ିଶାଲାଇଭ୍ ବ୍ୟୁରୋ

  • ଉଦଯାପିତ ହେଲା ୧୬ ତମ ଧଉଳି-କଳିଙ୍ଗ ମହୋତ୍ସବ
  • ଗୁରୁ ମାୟାଧର ରାଉତ ପାଇଳେ ରୁଚି ବୁଦ୍ଧ ସମ୍ମାନ
  • ଭାରତନାଟ୍ୟମ ଓ ଛଉ ନୃତ୍ୟର ଯାଦୁ ଦେଖିଲେ ଦର୍ଶକ
  • ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ମାଦଳ ବାଦନରେ ପ୍ରକମ୍ପିତ ହେଲା ପରିବେଶ

ମାଦଳ ବାଜାର ଗୁଞ୍ଜରଣ ସାଙ୍ଗକୁ ଭାରତ୍ୟନାଟମ ନୃତ୍ୟର ଝଙ୍କାର, ଏହାସାଙ୍ଗକୁ ମୟୂରଭଞ୍ଜ ଛଉ ନୃତ୍ୟ କଳାର ଚତ୍ମକାର ପରିବେଶ ମଧ୍ୟରେ ଉଦଯାପିତ ହେଇଛି ଧଉଳି-କଳିଙ୍ଗ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଗତ ତିନିଧରି ଆୟୋଜିତ ହେଉଥବା ଧଉଳି-କଳିଙ୍ଗ ମହୋତ୍ସବ ବୁଧବାର ଶେଷ ହୋଇଛି।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ଏହି ଅବସରରେ ସେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତଙ୍କୁ ରୁଚି ବୁଦ୍ଧ ସମ୍ମାନରେ ସମ୍ମାନିତ କରିଛନ୍ତି। ତାଙ୍କୁ ଏକଲକ୍ଷ ଟଙ୍କା ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହାସହିତ ଓଡ଼ିଶୀ ନୃତ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ଓ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର କରିଥିବା ପାଞ୍ଚ ଜଣ ବ୍ୟକ୍ତିବିଶେଷଙ୍କୁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଧଉଳି କଳିଙ୍ଗ ମହୋତ୍ସବର ସାଂସ୍କୃତିକ ସଂନ୍ଧ୍ୟାର ଶେଷ ଦିନରେ ପ୍ରଥମେ ଗୁରୁ ସଚ୍ଚିଦାନନ୍ଦ ଦାସ ଓ ତାଙ୍କର ଗ୍ରୁପ୍ ମାଦଳ ବାଦନ କରିଥିଲେ। ମାଦଳ ବାଜାର ଗୁଞ୍ଜରଣରେ ଚାରିଆଡ଼ ପ୍ରକମ୍ପିତ ହୋଇ ଉଠିଥିଲା।

ଏହାପରେ ଦ୍ୱିତୀୟରେ ନୂଆଦିଲ୍ଲୀର ଗଣେଶ ନାଟ୍ୟାଳୟରୁ ଆସିଥିବା ରାମା ବୈଦନାଥନ୍ ଓ ତାଙ୍କର ଗ୍ରୁପ୍ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ରାମା ବୈଦନାଥମ ନିଜର ଭାରତନାଟ୍ୟମ ନୃତ୍ୟର ଯାଦୁରେ ଲୋକମାନଙ୍କୁ ବାନ୍ଧି ରଖିଥିଲେ। ଶେଷରେ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା କଳାକାଳମାନଙ୍କ ଦ୍ୱାରା ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। ଛଉ ନୃତ୍ୟରେ କଳାକାରମାନେ ମହାଭାରତ ଯୁଗର ଅଭିମନ୍ୟୁ ବଧ କଥା ବର୍ଣ୍ଣନା କରିଥିଲେ।

Comment