ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାଠାରେ ବସ୍‌ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପୁଣି ବେଲଗୁଣ୍ଠା ବ୍ଲକ କୋକଳୁଣ୍ଡା ଗ୍ରାମରେ ବିଦ୍ୟୁତ ଆଘାତରେ ଦୁଇ ଜଣ ପ୍ରାଣ ହରାଇଥିବା ଜଣାପଡିଛି।

ବୁଧବାର ଅପରାହ୍‌ଣ ୨ଟା ସମୟରେ କୋକଳୁଣ୍ଡା ଗ୍ରାମର ଉଲା ଜେନାଙ୍କ ପୁଅ ରାଜେଶ ଜେନା(୨୩)ପାଇଖାନାରୁ ଶୌଚ ହୋଇ ଗାମୁଛାକୁ ଶୁଖେଇବା ସମୟରେ ପାଇଖାନା ଟିଣକୁ ଲାଗିଥିବା ଏକ ଛିଣ୍ଡା ବିଦ୍ୟୁତ ତାର ଲାଗି ଯାଇଥିଲା। ଫଳରେ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଘରେ ଥିବା ରାଜେଶର ଜେଜେମା ସୁଶିଳା ଜେନା(୭୦)ରାଜେଶକୁ ବଞ୍ଚେଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ।

ସାହି ବାସିନ୍ଦା ଖବର ଦେବା ପରେ ବିଦ୍ୟୁତ କର୍ମଚାରୀ ପହଂଚି ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିଥିଲେ। ଗ୍ରାମବାସୀ ଉଭୟଙ୍କୁ ମୁର୍ମୁସ ଅବସ୍ଥାରେ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି। ରାଜେଶର ବାପା ଉଲା ଓ ମା’ ଉଭୟେ ସୁରତର ସୁତା କଳରେ ଶ୍ରମିକ ଭାବେ କାମ କରୁଥିବା ବେଳେ ରାଜେଶ ଗ୍ରାମରେ ଟ୍ୟୁସନ କରିବା ସହ ସାନ ଦୁଇ ଭାଇ ଭଉଣୀଙ୍କୁ ପାଠ ପଢାଉଥିଲେ।

ରାଜେଶ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ତାର ପରିବାରକୁ ଆର୍ଥିକ ସହାୟତା ଯୋଗେଇଦେବାକୁ ପୂର୍ବତନ ସରପଞ୍ଚ ସୁଧାଂଶୁ ଶେଖର ପଲେଇ ଦାବି କରିଛନ୍ତି।

Comment