ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସେବା ଭବନରେ ଲୋକାର୍ପିତ ହୋଇଯାଇଛି ପୁସ୍ତକ ଡିଭାଇନ ଫେବ୍ରିକ। ଏହାକୁ ଲୋକାର୍ପଣ କରିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନା। ଏହି ପୁସ୍ତକର ଲେଖକ ହେଉଛନ୍ତି ପୂର୍ବତନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ରାଜା ପରିଜା। ଏହି ପୁସ୍ତକରେ ଟସର ଚାଷ ସମ୍ପର୍କରେ ସମସ୍ତ ତଥ୍ୟ ରହିଛି।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଓ ପରେ ଅତିରିକ୍ତ ସଚିବ ଥିବା ସମୟରେ ପୁସ୍ତକ ଲେଖକ ରାଜ ପରିଜା ଟସର ଚାଷ ଷେତ୍ର ସଂସ୍ପର୍ଶରେ ଆସିଥିଲେ। ଟସର କୋଷା ପାଳନ, ସୂତା ପ୍ରସ୍ତୁତି, ବସ୍ତ୍ର ପ୍ରସ୍ତୁତି ସମସ୍ତ ପର୍ଯ୍ୟାୟ ଉପରେ ଏହି ପୁସ୍ତକରେ ତଥ୍ୟ ରହିଛି। ଏହି ପର୍ଯ୍ୟାୟଗୁଡ଼ିକର ପୂରା ଜୀବନ ଚକ୍ରକୁ ନିରୀକ୍ଷଣ କରି ୫ ବର୍ଷ ଧରି ଏହି ପୁସ୍ତକ ରଚନା କରିଥିଲେ। ବର୍ତ୍ତମାନ ରାଜା ପରିଜା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ।

ଏହି ପୁସ୍ତକ ଗବେଷକ, ଫେସନ ଡିଜାଇନର, ଛାତ୍ରଛାତ୍ରୀ, କଳାଶିଳ୍ପୀ, ପର୍ଯ୍ୟଟକ ଓ ସାଧାରଣ ପାଠକଙ୍କ ପାଇଁ ଉପାଦେୟ ଅଟେ। ପୁସ୍ତକ ଉନ୍ମୋଚନ ଅବସରରେ ହସ୍ତତନ୍ତ ବୟନ ଓ ଶିଳ୍ପ ବିଭାଗର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ବର୍ତ୍ତମାନ ଟସର ଚାଷ ରାଜ୍ୟର ହଜାର ହଜାର ଲୋକଙ୍କୁ ଜୀବିକା ପ୍ରଦାନ କରୁଛି। ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ଲୋକ ଜନଜାତି ସମ୍ପ୍ରାଦାୟର। ଟସର କୋଷା ଉତ୍ପାଦନରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ, ଗୁଣାତ୍ମକମାନ ବସ୍ତ୍ର ଡିଜାଇନକୁ ଲକ୍ଷ୍ୟ କଲେ ଓଡ଼ିଶା ରାଜ୍ୟର ଶ୍ରେଷ୍ଠ ଟସର ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ।

Comment