ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘୨୦୧୯ ନିର୍ବାଚନରେ ବିଜେପିକୁ ଓଡ଼ିଶାରେ ୯୧ ଲକ୍ଷ ଭୋଟ ମିଳିଥିଲା। ନବୀନ ବାବୁଙ୍କ ବିଜେଡିକୁ ମିଳିଥିଲା ୧.୧ କୋଟି ଭୋଟ। ଆଉ ଗୋଟିଏ ଲମ୍ଫ ଦେଲେ ବିଜେପି ୧ ନମ୍ବର ଦଳ ହୋଇପାରିବ’’, ଭୁବନେଶ୍ୱର ଜନତା ମଇଦାନରେ ଏହା କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

୨୦୨୪ ପାଇଁ କର୍ମୀମାନଙ୍କୁ ଏହି ଆହ୍ୱାନ ଦେଇ ଅମିତ ଶାହ ଦିଲ୍ଲୀ ଚାଲି ଯାଇଛନ୍ତି। ଏହାସହ ବିଜେପି କର୍ମକର୍ତ୍ତା ଏବଂ ନେତାଙ୍କୁ ସଙ୍ଗଠନ ସୁଦୃଢ଼ ପାଇଁ ଗୁଡ଼ାଏ ଟାସ୍କ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ବିଜେପି ନେତାମାନେ ଶାହ ଦେଇଥିବା ଆହ୍ୱାନକୁ କେମିତି କାର୍ଯ୍ୟକାରୀ କରିବେ?

୨୦୧୯ ନିର୍ବାଚନ ପାଇଁ ଶାହ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ଅନେକ ଟାସ୍କ ଦେଇଥିଲେ। ମିଶନ୍-୧୨୦ର ଟାର୍ଗେଟ ମଧ୍ୟ ଦେଇଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ବିଜେପି ଫେଲ୍‌ ମାରିଥିଲା। ୧୨୦ ଆସନ ବଦଳରେ ବିଜେପି ମାତ୍ର ୨୩ଟି ପାଇଥିଲା।

ଶାହଙ୍କ ଟାସ୍କ କାର୍ଯ୍ୟକାରୀ କରିବାରେ ବିଜେପି ଫେଲ୍‌ ହୋଇଥିବାରୁ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନତା ମଇଦାନରେ ଶାହଙ୍କୁ କ୍ଷମା ମାଗିଥିଲେ।

ଧର୍ମେନ୍ଦ୍ର କହିଥିଲେ, ‘‘ଆପଣ ଦଳକୁ ମଜଭୁତ କରିବାକୁ ଦାୟିତ୍ୱ ଦେଇଥିଲେ। ହେଲେ ଆମେ ସେଥିରୁ ସଫଳ ହୋଇନୁ। ଆଗକୁ ରାଜ୍ୟରେ ବିଜେପି ସଙ୍ଗଠନ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରହିବ।’’

ଜନତା ମଇଦାନ ସଭା ପରେ ଶାହ କର୍ମକର୍ତ୍ତା ବୈଠକରେ ଯୋଗଦେଇ ମାନସ ମନ୍ଥନ କରିଥିଲେ। ଦଳକୁ କେମିତି ସୁଦୃଢ଼ କରାଯିବ ସେନେଇ କର୍ମୀ ଓ ନେତାଙ୍କୁ ଶାହ ପାଠ ପଢ଼ାଇଥିଲେ। ଆଗାମୀ ୨ ବର୍ଷରେ ୩୭ ହଜାର ବୁଥ୍‌ରେ ସଙ୍ଗଠନକୁ ମଜଭୁତ କରିବା ପାଇଁ ଶାହ ରାଜ୍ୟ ନେତୃତ୍ୱକୁ ଟାର୍ଗେଟ ଦେଇଛନ୍ତି। ବିଜେପି ଏବେ ୧୪ ହଜାର ବୁଥ୍‌ରେ ଆଗରେ ଏବଂ ୯ ହଜାର ୫୦୦ ବୁଥ୍‌ରେ ଦ୍ୱିତୀୟ ସ୍ଥାନରେ ରହିଛି।

୨୦୧୯ ନିର୍ବାଚନ ପୂର୍ବରୁ ଅମିତ ଶାହ ଓଡ଼ିଶାର ବିଭିନ୍ନ ସ୍ଥାନ ଜନସଭା କରିଥିଲେ। ବିଜେଡି ସରକାରକୁ ହଟାଇ ବିଜେପିକୁ ୫ ବର୍ଷ ପାଇଁ ସରକାର ଗଠନ କରିବାର ସୁଯୋଗ ଦେବାକୁ ଆହ୍ୱାନ ଦେଇଥିଲେ। ଏହାସହ ସବୁ ସଭାରେ ବିଜେଡି ସରକାର ଉପରେ ବର୍ଷିଥିଲେ। ହେଲେ ଗତ ୨୯ ତାରିଖରେ ହୋଇଥିବା ଜନତା ମଇଦାନ ସଭାରେ ଶାହ କିନ୍ତୁ ଚୁପ୍‌ ରହିଥିଲେ। ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦୁଟିଏ ବି କହି ନଥିଲେ। ଏହାକୁ ନେଇ ବିଜେପି କର୍ମୀମାନେ ଆଶଙ୍କାରେ ରହିଛନ୍ତି। ବିଜେପି ଓଡ଼ିଶାରେ କେମିତି ନମ୍ବର ୱାନ ଦଳ ହେବ ତାକୁ ନେଇ ଭାଳେଣି ପଡ଼ିଛି।

Comment