ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ମାସ ୨୬ରେ ହେବାକୁ ଥିବା ଦ୍ଵିବାର୍ଷିକ ନିର୍ବାଚନ ପରେ  ରାଜ୍ୟସଭାରେ ବିଜେପିର ସଂଖ୍ୟା ବୃଦ୍ଧି ପାଇବ ଏହା ସ୍ପଷ୍ଟ ଦେଖାଯାଉଛି। କିଛି ନହେଲେ ବି ୧୨/୧୩ଟି ଆସନ ବିଜେପିକୁ ମିଳିପାରେ। ମୋଟ ୫୫ ଆସନ ପାଇଁ ହେଉଥିବା ନିର୍ବାଚନ ପାଇଁ ୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ।

ଯଦି ଆଶାନୁରୂପ ବିଜେପିକୁ ମାର୍ଚ୍ଚ ୨୬ ନିର୍ବାଚନରେ ୧୩ ଆସନ ମିଳେ ତେବେ ରାଜ୍ୟସଭାରେ ଦଳର ସଦସ୍ୟ ସଂଖ୍ୟା ୯୫ ପାଖାପାଖି ହୋଇଯିବ। ନଭେମ୍ବର ମାସରେ ବି ଆଉ ଏକ ପର୍ଯ୍ୟାୟ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି। ସେତେବେଳେ ଦଳକୁ ଆଉ କିଛି ଆସନର ଫାଇଦା ହେବ। ମୁଖ୍ୟତଃ ଉତ୍ତର ପ୍ରଦେଶରୁ ବିଜେପି ବେଶ୍‌ କିଛି ସାଂସଦ ପାଇବ। ତା ସତ୍ତ୍ୱେ ରାଜ୍ୟସଭାରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ଚଳିତ ମାସ ୨୬ରେ ଯେଉଁ ନିର୍ବାଚନ ହେବ ସେଥିରେ ଟିଏମ୍‌ସି, ବିଜେଡି, ଆରଜେଡି, ଟିଆରଏସ ଓ ୱାଇଏସଆର କଂଗ୍ରେସ ବେଶ କିଛି ଆସନ ମାରିନେବେ। ଏ ତ ଗଲା ୨୦୨୦ର କଥା।

ଯଦି ଆମେ ୨୦୨୨ ଉପରେ ଆଖି ପକାଇବା ସେତେବେଳକୁ ବି ବିଜେପିକୁ ବିଶେଷ ଫାଇଦା ମିଳିବ ନାହିଁ। ଏହାର କାରଣ ୨୦୨୨ ଦ୍ଵିବର୍ଷିକ ନିର୍ବାଚନରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଗୁଡ଼ାଏ ଆସନ ଖାଲି ହେବ। ଏହି ତିନି ରାଜ୍ୟରେ ବିଜେପି ନୁହେଁ, କଂଗ୍ରେସ କ୍ଷମତାରେ ଅଛି। ଏଣୁ ରାଜ୍ୟସଭାରେ କଂଗ୍ରେସର ବରଂ  ସଂଖ୍ୟା ବୃଦ୍ଧି ହେବ। ସତ କହିଲେ, ଦୁଇ ବର୍ଷ ପରେ ରାଜ୍ୟସଭାରେ ବିଜେପିର ସଂଖ୍ୟା ଦ୍ରୁତ ହ୍ରାସ ପାଇବ। କାରଣ ଅଧିକାଂଶ ରାଜ୍ୟ ବିଧାନସଭା ନିର୍ବାଚନରେ ଏବେ ବିଜେପି ଲଗାତର ହାରିବାରେ ଲାଗିଛି।

Comment