ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ପାଇଲଟରୁ ଜୀବନ ଆରମ୍ଭ କରିଥିବା ଓ ଭାରତର ରାଜନୀତିର ‘ବିଗ୍ ଡାଡି’ କୁହାଯାଉଥିବା ବିଜୁ ପଟ୍ଟନାୟକ (୫ ମାର୍ଚ୍ଚ ୧୯୧୬-୧୭ ଏପ୍ରିଲ ୧୯୯୭) ପିଢ଼ି ପିଢ଼ି ଧରି କେବଳ ଓଡ଼ିଶାରେ ପରିଚିତ ନୁହଁନ୍ତି, ଓଡ଼ିଶା ବାହାରେ ଏବଂ ବିଦେଶରେ ବି ତାଙ୍କର ନାମ ସ୍ମରଣୀୟ ହୋଇ ରହିଛି। ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ଲଢ଼ିଥିବା ଦେଶପ୍ରେମୀଙ୍କ ଭିତରେ ସେ ଥିଲେ ଜଣେ। କିନ୍ତୁ ତାଙ୍କର ଅବଦାନ ଥିଲା ଅନ୍ୟ ପ୍ରକାରର। ଜଣେ ଦକ୍ଷ ବିମାନ ଚାଳକ ଭାବରେ ଦେଶ ସ୍ୱାଧୀନତା ହେବା ପୂର୍ବରୁ ଓ ପରେ ଭାରତର ସ୍ୱାଧୀନତା ସଂଗ୍ରାମ ତଥା ଇଣ୍ଡୋନେସିଆର ମୁକ୍ତି ଇତିହାସର ଏକ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଭାବେ ସେ ଯେପରି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ତାହା ଅନନ୍ୟ ଓ ସାଧାରଣ।

ବର୍ମାରେ ବ୍ରିଟିଶ କମାଣ୍ଡ ଅଧିନରେ ଲଢ଼ୁଥିବା ଭାରତୀୟ ସୈନିକମାନଙ୍କ ଉଦ୍ଦେଶ୍ୟରେ ବିମାନ ଉପରୁ ରାଜନୀତିକ ପ୍ରଚାରପତ୍ର ପକାଇବାଠାରୁ ଆରମ୍ଭ କରି ତତ୍‌କାଳୀନ କଂଗ୍ରେସ ନେତାମାନଙ୍କୁ ଗୁପ୍ତ ଭାବରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ କରିବା ଘଟଣାରେ ବିଜୁ ପଟ୍ଟନାୟକ ଯେଉଁ ସୁନାମ ଅର୍ଜନ କରିଥିଲେ ତାହା ବିରଳ। ବ୍ରିଟିଶ ରାଜତ୍ୱ ସମୟରେ ବନ୍ଦୀ ଜୀବନ କଟାଇବାଠାରୁ ଆରମ୍ଭ କରି ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ କାଶ୍ମୀରର ମୁକ୍ତି ପାଇଁ ସେ ଯେଉଁ ପରାକ୍ରମ ଦେଖାଇଥିଲେ ତାହା ଅଦ୍ୱିତୀୟ। ବୁଜି ଓ ସାହସିକତା ଏକ ପରିପୂରକ ଶବ୍ଦ କହିଲେ ଅଚ୍ୟୁତି ହେବ ନାହିଁ।

୧୯୪୮ରେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ଗାଥା ଆଜି ବି ସ୍ମରଣ ହୋଇ ରହିଛି ସୁଦୂର ଏହି ଦୀପରେ। ସୁଲତାନ ସହରିର ଓ ସୁକର୍ଣ୍ଣୋଙ୍କୁ ଭାରତକୁ ଉଡାଇ ଆଣିବା ଓ ଡଚ୍ ଉପନିବେଶବାଦୀମାନଙ୍କୁ ଉଚିତ୍ ଶିକ୍ଷା ଦେବା ହେତୁ ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆ ଦେଇଛି ‘ଭୂମିପୁତ୍ର’ର ସମ୍ମାନ। ଭାରତୀୟ ଜନମାନସରେ ତ ବିଜୁ ପଟ୍ଟନାୟକ ଏକ ଆଚମ୍ବିତ ନାମ, ଏକ କୌତୁହଳୋଦ୍ଦୀପକ ଚେହେରା।

ବିଜୁ ପଟ୍ଟନାୟକ ଥିଲେ ପ୍ରଥମ ଓଡିଆ ବିମାନ ଚାଳକ-ବ୍ୟବସାୟୀ ଯିଏ ଓଡ଼ିଶାରେ ସର୍ବପ୍ରଥମେ କଳିଙ୍ଗ ଏୟାରଲାଇନ୍ସ୍ ପ୍ରତିଷ୍ଠା କରି ବ୍ୟବସାୟର ଏକ ନୂଆ ଧାରା ସୃଷ୍ଟି କରିଥିଲେ। ସ୍ୱାଧୀନତା ପରବର୍ତ୍ତୀ ଗୋଟିଏ ଦଶନ୍ଧି ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଥିଲେ ମୂଳତଃ ଜଣେ ଶିଳ୍ପୋଦ୍ୟୋଗୀ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶିଳ୍ପ କାରଖାନା ପ୍ରତିଷ୍ଠା କରି ଓଡ଼ିଶାରେ ସେ ଶିଳ୍ପର ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ପୂର୍ବରୁ ଶିଳ୍ପ କାରଖାନା ଥିଲା ଏକ ଅପହଞ୍ଚ ଇଲାକା।

ମୂଳତଃ ଜଣେ କଂଗ୍ରେସୀ, ୧୯୭୦ରେ ବିଜୁ ପଟ୍ଟନାୟକଙ୍କ ରାଜନୀତିକ ଜୀବନ ଏକ ଭିନ୍ନ ମୋଡ ନେଇଥିଲା। ଯେଉଁ ବ୍ୟକ୍ତି କଂଗ୍ରେସ ଦଳରେ ରହିଥିଲେ ଓ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହୁରୁଙ୍କ ପ୍ରିୟଭାଜନ ହୋଇପାରିଥିଲେ, ଇନ୍ଦିରାଗାନ୍ଧୀଙ୍କ ସହ କିନ୍ତୁ ତାଳମେଳ ରଖି ସେ ଚାଲିପାରିନଥିଲେ। ଏହା ଫଳରେ କଂଗ୍ରେସରୁ ସେ ସବୁଦିନ ପାଇଁ ବିଦାୟ ନେଇଥିଲେ। ୧୯୭୫ ଜରୁରୀ ପରିସ୍ଥିତି ପରେ ଭାରତରେ ଯେଉଁ ରାଜନୈତିକ ପଟ୍ଟପରିବର୍ତ୍ତନ ଘଟିଲା ତାହାର ଏକ ବଡ ଅବଲମ୍ବନ ଥିଲେ ବିଜୁ ପଟ୍ଟନାୟକ। ତତ୍କାଳୀନ ଜନତା ପାର୍ଟିରେ ସେ ଥିଲେ ‘କିଙ୍ଗ୍ ମେକର’ ବା ପ୍ରଧାନମନ୍ତ୍ରୀ ତିଆରି କରୁଥିବା ନେତା।

୧୯୭୭ରେ ଇନ୍ଧିରା ଗାନ୍ଧି ସାଧାରଣ ନିର୍ବାଚନ ହାରିବା ପରେ ଭାରତରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ଅଣ-କଂଗ୍ରେସ ସରକାର ପ୍ରତିଷ୍ଠା ହେଲା। ୧୯୮୦ ପର୍ଯ୍ୟନ୍ତ ଚାଲିଥିବା ମୋରାରଜି ଦେଶାଇ ନେତୃତ୍ୱ ବିଶିଷ୍ଟ ଜନତା ପାର୍ଟି ସରକାରରେ ବିଜୁ ପଟ୍ଟନାୟକ ଇସ୍ପାତ, କୋଇଲା ଓ ଖଣି ମନ୍ତ୍ରୀ ଥିଲେ।

ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଆଦର୍ଶର ଗୋଟିଏ ବଡ ଦିଗ ହେଲା ସମାଜବାଦ ଓ ସଙ୍ଘୀୟବାଦ। କେନ୍ଦ୍ରର ଏକଚାଟିଆ କ୍ଷମତା ବିରୁଦ୍ଧରେ ସେ ନିରନ୍ତର ଲଢ଼ୁଥିଲେ ଓ ରାଜ୍ୟମାନଙ୍କୁ ଠିକ୍ ଭାବରେ ସମ୍ବଳ ବଣ୍ଟା ଯିବା ଉଚିତ ବୋଲି ସେ ଦାବି କରୁଥିଲେ। ଏହି କାରଣରୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ ସେ। କେନ୍ଦ୍ର ବିରୋଧରେ ଓଡ଼ିଶାର କଠୋର ମନୋଭାବର ବୀଜ ବସ୍ତୁତଃ ବିଜୁ ପଟ୍ଟନାୟକଙ୍କ ସମୟରୁ ହିଁ ବପନ ହୋଇଥିଲା।

ସରକାରଙ୍କ ପ୍ରଚେଷ୍ଟାରୁ ଓଡ଼ିଶାରେ ଶିଳ୍ପ କାରଖାନା ପ୍ରତିଷ୍ଠା କ୍ଷେତ୍ରରେ ବିଜୁ ପଟ୍ଟନାୟକଙ୍କ ନାମକୁ ଅନେକେ ଇତିହାସରେ ଲିପିବଦ୍ଧ କରିଥାନ୍ତି। ଦୁଇଥର ମୁଖ୍ୟମନ୍ତ୍ରୀ ରହିବା ଭିତରେ ସେ ବିଶ୍ କିଛି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା କରିପାରିଥିଲେ। ନୂଆ ନୂଆ କଥା ଚିନ୍ତା କରିବାରେ ସେ ଥିଲେ ଅଦ୍ୱିତୀୟ। ଯଦି କୌଣସି ନୂଆ ଶିଳ୍ପ/ପ୍ରକଳ୍ପ କଥା ସେ ଚିନ୍ତା କରୁଥିଲେ ତାହାକୁ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ସେ ସେଥିରୁ ବିରତ ହେଉନଥିଲେ। ସମ୍ବଳର ଅଭାବ ସତ୍ତ୍ୱେ କିଭଳି କାରଖାନାମାନ ପ୍ରତିଷ୍ଠା କରାଯାଇ ପାରିବ ସେହି ସାହସ କେବଳ ବିଜୁ ପଟ୍ଟନାୟକଙ୍କର ହିଁ ଥିଲା। ପାରାଦୀପ ବନ୍ଦର ପାଇଁ ଅର୍ଥ ଦେବା ସକାଶେ କେନ୍ଦ୍ର ସରକାର ରାଜି ନହେବା, ରାଜ୍ୟ ସରକାରଙ୍କ ଅର୍ଥରେ ବନ୍ଦର ପ୍ରତିଷ୍ଠା କରିବା ଓ ପରେ ବାଧ୍ୟତାମୂଳକ ଭାବରେ କେନ୍ଦ୍ର ଦ୍ୱାରା ପାରାଦୀପ ବନ୍ଦରର ଅନୁମୋଦନ କରାଇବା- ଏସବୁ ଆଜି ବି ଏକ ଏକ କିମ୍ବଦନ୍ତୀ ହୋଇ ରହିଛି।

ବିଜୁ ପଟ୍ଟନାୟକ ଥିଲେ ଗଣନେତା। ସେ କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ, ବର୍ଗ ବା ଗୋଷ୍ଠୀର ନେତା ନଥିଲେ। ସମଗ୍ର ଓଡ଼ିଶାର ସେ ଥିଲେ ଜଣେ ଭାବୋତ୍ସଳ ନେତା। ବିଜୁ ପଟ୍ଟନାୟକଙ୍କର ସଂକୀର୍ଣ୍ଣ ମନୋବୃତ୍ତି ନଥିଲା। ବିରାଟ ହୃଦୟର ଅଧିକାରୀ ଥିଲେ ସେ। ବିଜୁ ପଟ୍ଟନାୟକଙ୍କ ଅନୁଗାମୀମାନେ ତାଙ୍କୁ ‘କଳିଙ୍ଗ ଷଣ୍ଢ’ଠାରୁ ଆରମ୍ଭ କରି ଲୌହ ପୁରୁଷ ପର୍ଯ୍ୟନ୍ତ ଅନେକ ଭାବରେ ପରିଚିତ କରାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି।

ଫ୍ରାନ୍‌ସର ନେପୋଲିୟନ୍ ବୋନାପାର୍ଟ ଥିଲେ ତାଙ୍କର ଆଦର୍ଶ। ବିଜୁ ପଟ୍ଟନାୟକ  ଅନେକ ସମୟରେ ଯେଉଁ ସବୁ ଦୁଃସାହସିକ କାର୍ଯ୍ୟରେ ହାତ ଦେଉଥିଲେ ତାହା ତାଙ୍କୁ ବେଳେବେଳେ ସମାଲୋଚନାର ପାତ୍ର ମଧ୍ୟ କରିଛି। କହିବା ଅନାବଶ୍ୟକ ଯେ, ସେ ତାଙ୍କ ସମୟଠାରୁ ଢ଼େର ଆଗରେ ରହିଥିଲେ। ବିଜୁ ପଟ୍ଟନାୟକ ଥିଲେ ଅତୀତର ପାହାଚ ଉପରେ ଦଣ୍ଡାୟମାନ ଜଣେ ଦୂରଦ୍ରଷ୍ଟା।

କେହି ଜଣେ ବିଜ୍ଞ ମଣିଷ କହିଥିଲେ ଜଣେ ଦକ୍ଷ ଓ ବିଚକ୍ଷଣ ନେତା ହେବାକୁ ହେଲେ କୌଣସି ଆଦର୍ଶର ଆବଶ୍ୟକତା ପଡିନଥାଏ। ବିଜୁ ପଟ୍ଟନାୟକଙ୍କର ସେହି ବାଣୀରେ ବିଶ୍ୱାସ ଥିଲା। ୟୁନେସ୍କୋର ପ୍ରଥମ ମହାନିର୍ଦ୍ଦେଶକ ସାର୍ ଜୁଲିଆନ୍ ହକ୍‌ସ୍ଲେ ଥରେ କହିଥିଲେ ଯେ, ‘ବିଜୁ ପଟ୍ଟନାୟକ ଏଭଳି ଜଣେ ଉଲ୍ଲେଖନୀୟ ଭାରତୀୟ ଯାହାଙ୍କ ସାହସିକତା  କଥା ବଖାଣିଲେ ଗୋଟିଏ ବହି ହେବ। ’

ବିଜୁ ପଟ୍ଟନାୟକ ବା ବିଜୟାନନ୍ଦ ପଟ୍ଟନାୟକଙ୍କ ଭଳି ଆଉ ଜଣେ ବ୍ୟକ୍ତି ଓଡ଼ିଶାରେ ଜନ୍ମ ହେବେ କି’ ନା ତାହା କହିବା କଷ୍ଟ। ଓଡ଼ିଶା ଓ ବିଜୁ ପଟ୍ଟନାୟକ ଅବିଚ୍ଛେଦ୍ୟ।

(ସୌଜନ୍ୟ – ଓଡ଼ିଶାଲାଇଭ ଦ୍ୱାରା ପ୍ରକାଶିତ ‘ଶତାବ୍ଦୀର ଦୂରଦ୍ରଷ୍ଟା’)

Comment