ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଅ ହେବ ତ ଏମିତି। ୧୯ ବର୍ଷ ବୟସରେ ନିଜ ଲିଭର ଦେଇ ବାପାର ଜୀବନ ବଞ୍ଚାଇଲା ପୁଅ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ୱର ଜିଲ୍ଲାର ସୌମ୍ୟ ରଞ୍ଜନ ବିଶ୍ଵାଳ।

ନୀଳଗିରିରେ ରହୁଥିବା ଜୟନ୍ତ ବିଶ୍ୱାଳ (୫୫) ୨୦୧୬ ମସିହାରେ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ। ସେ ନନ୍ ଆଲକହଲିକ୍ ଫ୍ୟାଟି ଲିଭର ରୋଗରେ ପୀଡ଼ିତ ଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ଲିଭର ପ୍ରତ୍ୟାରୋପଣ କରିବାକୁ ନିଷ୍ପତି ନେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପତ୍ନୀ ଅନୀତା ବିଶ୍ୱାଳ ତାଙ୍କ ଯକୃତର କିଛି ଅଂଶ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ତାଙ୍କ ବ୍ଲଡ ଗ୍ରୁପ୍ ‘ବି’ ପଜିଟିଭ୍ ଥିବାରୁ ତାହା ‘ଏ’ ପଜିଟିଭ୍ ବ୍ଲଡ୍ ଗ୍ରୁପ୍ ଥିବା ଜୟନ୍ତଙ୍କ ସହିତ ମିଶି ନଥିଲା।

ତେଣୁ ତାଙ୍କର ଏକ ମାତ୍ର ୧୯ ବର୍ଷୀୟ ପୁଅ ସୌମ୍ୟରଞ୍ଜନ ବିଶ୍ୱାଳ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ। ସୌମ୍ୟଙ୍କ ବ୍ଲଡ ଗ୍ରୁପ୍ ‘ଓ’ ପଜିଟିଭ୍ ଏବଂ ଯାହା ତାଙ୍କ ବାପାଙ୍କ ବ୍ଲଡ ଗ୍ରୁପ୍ ସହ ମ୍ୟାଚ୍‌ କରିଥିଲା। ତାଙ୍କ ନିଷ୍ପତି ପରେ ସମ୍ ହସ୍ପଟାଲ୍‌ରେ ଏହି ପ୍ରତ୍ୟାରୋପଣ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଗୁରୁବାର ଦିନ ଦୀର୍ଘ ୯ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର ହୋଇଥିଲା।

ସମ୍ ହସ୍ପିଟାଲ୍‌ରେ କରାଯାଇଥିବା ଏହି ଯକୃତ ପ୍ରତ୍ୟାରୋପଣରେ ଯଶୋଦା ହସ୍ପିଟାଲ୍‌ର ମୁଖ୍ୟ ଲିଭର ପ୍ରତ୍ୟାରୋପଣ ସର୍ଜନ୍ ପ୍ରଫେସର ଡାକ୍ତର ପି. ବାଲାଚନ୍ଦ୍ରନ୍ ମେନନ୍‌ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୩ ଜଣିଆ ଟିମ୍‌ଙ୍କ ସମେତ ସମ୍ ହସ୍ପିଟାଲ୍‌ର ୪୦ ଜଣିଆ ଟିମ୍ ଏହି ପ୍ରତ୍ୟାରୋପଣରେ ସାମିଲ୍ ଥିଲେ ।ବର୍ତ୍ତମାନ ଉଭୟ ବାପା ଓ ପୁଅ ସୁସ୍ଥ ଅଛନ୍ତି।

ଓଡ଼ିଶାରେ ପ୍ରଥମ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରିବାରେ ସକ୍ଷମ ହୋଇଛି ସମ୍ ହସ୍ପିଟାଲ। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲରେ ପ୍ରଥମ ଥର ପାଇଁ ସଫଳତାର ସହ ଲିଭିଂ ଡୋନର ଲିଭର ପ୍ରତ୍ୟାରୋପଣ କରାଯାଇଛି।

Comment