ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ଆଉ ୩ଟି ରାଜ୍ୟରେ କୋରୋନା ଆକ୍ରାନ୍ତ ଚିହ୍ନଟ।

କୋରୋନା ଏବେ ସମସ୍ତଙ୍କର ଚିନ୍ତା ବଢ଼ାଉଛି। ଭାରତରେ ଏ ରାଜ୍ୟରୁ ସେ ରାଜ୍ୟକୁ ବ୍ୟାପି ଚାଲିଛି କୋରୋନା। ଦିଲ୍ଲୀରୁ ଲଦାଖ ଏବଂ ଜମ୍ମୁ କଶ୍ମୀରରୁ କେରଳ ପର୍ଯ୍ୟନ୍ତ ସବୁଠି କୋରୋନା କାୟା ବିସ୍ତାର କରି ଚାଲିଛି। କୋରୋନା ଭାଇରସ୍‌ ଯଦିଓ ଭାରତରେ କାହାର ଜୀବନ ନେଇନି ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିବା ସତର୍କ ଘଣ୍ଟି ବଜାଇଛି।

ଦିଲ୍ଲୀରେ ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମହାମାରୀ ଘୋଷଣା କରିଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦିଲ୍ଲୀର ସବୁ ସିନେମା ହଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜରିୱାଲ। ଏହାସହ ଯେଉଁ ସ୍କୁଲ, କଲେଜରେ ପରୀକ୍ଷା ଶେଷ ହୋଇଛି ସେଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ପର୍ଯ୍ୟଟକମାନଙ୍କ ପାଇଁ ରାଷ୍ଟ୍ରପତି ଭବନ ମଧ୍ୟ ବନ୍ଦ ରଖାଯାଇଛି।

କୋରୋନା ଭାଇରସ୍‌ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗୁରୁବାର ଲଦାଖ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେଉଁ ରାଜ୍ୟରେ କେତେ?

ଜମ୍ମୁ କଶ୍ମୀର, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା ରାଜ୍ୟରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହରିୟାଣାରେ ୧୪, ରାଜସ୍ଥାନରେ ୩, ମହାରାଷ୍ଟ୍ରରେ ୧୧, କର୍ଣ୍ଣାଟକରେ ୪, କେରଳରେ ୧୭, ଉତ୍ତରପ୍ରଦେଶରେ ୧୧, ଦିଲ୍ଲୀରେ ୬, ଲଦାଖରେ ୩ ଜଣ ଚିହ୍ନଟ ହୋଇଛନ୍ତି।

ଆଇପିଏଲ୍‌ରେ ବି କୋରୋନା ଭୟ

ଏପ୍ରିଲ ୨୯ ତାରିଖରେ ଭାରତରେ ଆଇପିଏଲ ମ୍ୟାଚ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ କୋରୋନା ସ୍ଥିତି ଅସମ୍ଭାଳ କରୁଥିବାରୁ ଏହି ମ୍ୟାଚ ଉପରେ କଳାବାଦଲ ଛାଇ ଯାଇଛି। ଚଳିତବର୍ଷ ଆଇପିଏଲ ମ୍ୟାଚ ହେବ କି ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ଆଇପିଏଲ ହେବ ତାହାଲେ ବିଦେଶୀ ଖେଳାଳିଙ୍କ ଭାରତ ଆଗମନ ଉପରେ ରୋକ୍‌ ଲଗାଇବାକୁ କିଛି ଲୋକ ମତ ଦେଉଛନ୍ତି।

ଟ୍ରାଭେଲ ଆଡଭାଇଜରି

ସାରା ବିଶ୍ୱରେ କୋରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଏପର୍ଯ୍ୟନ୍ତ ବିଶ୍ୱର ୧୧୦ଟି ଦେଶକୁ କୋରୋନା ବ୍ୟାପି ସାରିଲାଣି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଛି।

କୋରୋନା ସଂକ୍ରମିତ ଦେଶରୁ ଆସୁଥିବା ନାଗରିକମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ବିଶେଷକରି ଚାଇନା, ହଂକଂ, କୋରିଆ, ଜାପାନ, ଇଟାଲି, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀ ଆଦି ଦେଶରୁ ଫେରିଥିବା ନାଗରିକମାନେ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ। ବିଦେଶରୁ ଆସିଥିବା ନାଗରିକମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମବଳୀ ମାନିବାକୁ ବାଧ୍ୟତା ମୂଳକ କରାଯାଇଛି। କୋରୋନାର ଲକ୍ଷଣ ଦେଖାଗଲେ କ’ଣ କରିବା କଥା ଓ କ’ଣ କରିବା କଥା ନୁହେଁ ସେନେଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରର ସହାୟତା ନେବାକୁ ଅନୁରୋଧ କରାଯାଇଛି। ଚାଇନା, ହଂକଂ, କୋରିଆ, ଜାପାନ, ଇଟାଲି, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀ ଆଦି ଦେଶକୁ ନଯିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।

ଭାରତ ଆସିବେନି ବିଦେଶୀ ନାଗରିକ

କୋରୋନା ବ୍ୟାପି ଚାଲିଥିବାରୁ ବିଦେଶୀ ନାଗରିକଙ୍କ ଭାରତ ଆସିବା ଉପରେ ରୋକ୍‌ ଲଗାଇଛନ୍ତି କେନ୍ଦ୍ର ସରକାର। ବୁଧବାର ଭାରତ ସରକାର ବିଶ୍ୱର ସମସ୍ତ ଦେଶକୁ ଜାରି ହୋଇଥିବା ଭିସାକୁ ରଦ୍ଦ କରିଦେଇଛନ୍ତି। ଏପ୍ରିଲ ୧୫ ପର୍ଯ୍ୟନ୍ତ ଏହି ଭିସା ବାତିଲ କରାଯାଇଛି, ଅର୍ଥାତ୍ କରୋନା ଯୋଗୁଁ ବିଶ୍ୱର କୌଣସି ନାଗରିକ ଭାରତ ଆସିପାରିବେ ନାହିଁ।

ଯଦି ଜଣେ ଭାରତୀୟ ବିଦେଶରୁ ଫେରିବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍କ୍ରିନିଂ କରିବାକୁ ପଡ଼ିବ ଏବଂ ୧୪ ଦିନ ଯାଏଁ ତାଙ୍କୁ ଅବଜରଭେସନରେ ରହିବାକୁ ପଡ଼ିବ।

ସେହିପରି ଭାରତୀୟ ନାଗରିକଙ୍କୁ ବି ପରାମର୍ଶ ଦିଆଯାଇଛି। ଯଦି ଜରୁରୀ ନାହିଁ ତେବେ କୌଣସି ବ୍ୟକ୍ତି ବିଦେଶ ଗସ୍ତ କରନ୍ତୁ ନାହିଁ ବୋଲି ସରକାର ପରାମର୍ଶ ଦେଇଛନ୍ତି।

Comment