ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପୃଥିବୀର ବିଭିନ୍ନ ଦେଶରେ ଦିନକୁ ଦିନ ବ୍ୟାପୁଛି କରୋନା ଭୂତାଣୁର ସଂକ୍ରମଣ। ଭାରତରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଠିକ୍‌ ଏତିକି ବେଳେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କହିଛି ଯେ, ଆମ ଦେଶରେ କରୋନା ଭଳି ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ଆଗାମୀ ଏକ ମାସ ସମୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

କାରଣ, ଭାରତରେ କରୋନା ଭୂତାଣୁର ପ୍ରଭାବ ଷ୍ଟେଜ ଟୁ ବା ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ଯଦି ଆସନ୍ତା ଏକ ମାସ ମଧ୍ୟରେ ଆମେ ଏହି ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା, ତେବେ ହୁଏତ ଆମ ଦେଶରେ ଏହା ମହାମାରୀର ରୂପ ନେଇ ନପାରେ।

କରୋନା ଭୂତାଣୁର ପ୍ରଭାବକୁ ମୁଖ୍ୟତଃ ୪ଟି ପର୍ଯ୍ୟାୟରେ ଭାଗ କରାଯାଉଛି।

ପ୍ରଥମ ପର୍ଯ୍ୟାୟ: ବିଦେଶରୁ ଆମ ଦେଶକୁ ଭୂତାଣୁର ପ୍ରବେଶ।

ଦ୍ୱିତୀୟ ପର୍ଯ୍ୟାୟ: ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମଣ।

ତୃତୀୟ ପର୍ଯ୍ୟାୟ: କମ୍ୟୁନିଟି ଟ୍ରାନ୍ସମିସନ ବା ଗୋଷ୍ଠୀଗତ ସଂକ୍ରମଣ।

ଚତୁର୍ଥ ପର୍ଯ୍ୟାୟ: ଏହା ମହାମାରୀର ରୂପ ନେବା ତଥା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯିବା।

ବର୍ତ୍ତମାନ ଭାରତ ପ୍ରଥମ ପର୍ଯ୍ୟାୟକୁ ଟପି ଦ୍ବିତୀୟ ପର୍ଯ୍ୟାୟରେ ରହିଛି। ଅର୍ଥାତ ସଂକ୍ରମିତଙ୍କଠାରୁ କରୋନା ଭୂତାଣୁ ସୁସ୍ଥ ଲୋକଙ୍କୁ ଡେଇଁବାର ଆଶଙ୍କା ରହିଛି। ହେଲେ ଆଶ୍ୱାସନାର ବିଷୟ ହେୁଛି ଯେ, ଏ ପର୍ଯ୍ୟନ୍ତ ଏହା କୌଣସି ଗୋଷ୍ଠୀ ବା ଜନସମୁଦାୟକୁ ସଂକ୍ରମିତ କରିନାହିଁ।

ସେପଟେ ଅନ୍ୟ ଦେଶମାନଙ୍କରେ ବଢୁଥିବା ସଂକ୍ରମଣ ହାର ତୁଳନାରେ ଭାରତରେ ସଂକ୍ରମଣର ବୃଦ୍ଧି ମଧ୍ୟ କମ ରହିଛି। ଏଣୁ ପରବର୍ତ୍ତୀ ସ୍ତରକୁ କିପରି ସଂକ୍ରମଣ ନଯିବ ତାହା ରୋକିବା ଲାଗି ଏହି ୩୦ ଦିନ ସମୟ ଆମ ସମସ୍ତଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ।

କରୋନା କଂଟ୍ରୋଲ ଲାଗି ସବୁଠାରୁ ବଡ଼ ଔଷଧ ହେଉଛି ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା, ଆଉ ଏହା ପଛରେ ରହିଛି ସୋସିଆଲ୍‌ ଡିଷ୍ଟାସିଂ ବା ସାମାଜିକ ଦୂରତ୍ୱ। ତେଣୁ ଜନସମାବେଶ, ମଲ୍‌ ଓ ବିଭିନ୍ନ ସାମାଜିକ କାର୍ଯ୍ୟ ଭଳି ଲୋକଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି।

ତା’ ଛଡ଼ା ସାବୁନରେ ହାତ ଧୋଇବା ସହ କରୋନା ସଂକ୍ରମଣ ରୋକିବା ଲାଗି ଥିବା ଅନ୍ୟ ସାଧାରଣ ନିୟମ ପାଳନ କଲେ ଆମେ ନିଜକୁ ସୁରକ୍ଷିତ ରଖିପାରିବା।

Comment