ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କାୟା ବିସ୍ତାର କରୁଛି କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୨୨ଜଣ  ଭାରତୀୟ ରହିଥିବା ବେଳେ ୨୫ଜଣ ବିଦେଶୀ ନାଗରିକ ରହିଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି କେରଳରେ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୧୦ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ଦେଶର ୧୬ଟି ରାଜ୍ୟ କରୋନା ସଂକ୍ରମଣ ହୋଇସାରିଛି। ସମସ୍ତ ରୋଗୀଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରର ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି।

ଭାରତରେ ବର୍ତ୍ତମାନ ସୁଦ୍ଧା ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। କରୋନାରେ କର୍ଣ୍ଣାଟକର କଲବୁର୍ଗିରେ ଜଣେ ୭୬ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଦିଲ୍ଲୀ ଓ ମୁମ୍ବାଇରେ ଜଣେ ମହିଳା ଓ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି। ସେହିଭଳି କରୋନା ବ୍ୟାପିବା ଆଶଙ୍କାରେ ବିଭିନ୍ନ ରାଜ୍ୟରେ ମାର୍ଚ୍ଚ ୩୧ତାରିଖରେ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ, ଜିମ୍, ପାର୍କ, ମଲ୍ ଆଦିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment