ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଆସନ୍ତା କାଲିଠାରୁ ଯାତ୍ରୀମାନଙ୍କ ପାଇଁ ବନ୍ଦ ହେବ ବିମାନସେବା। ମାର୍ଚ୍ଚ ୨୪ତାରିଖ ମଧ୍ୟରାତ୍ରୀରୁ ସମସ୍ତ ଘରୋଇ ବିମାନସେବା ବନ୍ଦ ରହିବ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଏଥିପାଇଁ ସମସ୍ତ ଘରୋଇ ବିମାନକୁ ମଙ୍ଗଳବାର ମଧ୍ୟରାତ୍ରୀ ସୁଦ୍ଧା ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ମାଲବାହୀ ବିମାନ ଚଳାଚଳ ଜାରି ରହିବା ନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

ଆଗୁଆ ଟିକଟ୍ କରିଥିବା ବିମାନ ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରାଯିବ। ପ୍ରତିଦିନ ଦେଶରେ ପ୍ରାୟ ୬ହଜାର ୫ଶହ ଘରୋଇ ବିମାନ ଉଡ଼ାଣ  ଭରିଥାଏ। ଲୋକେ କରୋନା କଟକଣାକୁ ଅବମାନନା କରି ଦେଶର ବିଭିନ୍ନ ସହରକୁ ଯାତ୍ରା କରୁଛନ୍ତି। ଫଳରେ ଦେଶରେ କରୋନା ସଂକ୍ରମଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି।

କରୋନାକୁ ନେଇ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ରେଳମନ୍ତ୍ରାଳୟ ପକ୍ଷରୁ ସମସ୍ତ ରେଳସେବାକୁ ବାତିଲ କରାଯାଇଥିଲା। ମାର୍ଚ୍ଚ ୩୧ ତାରିଖ ଯାଏଁ ଏହି କଟକଣା ଜାରି କରିଛି ରେଳମନ୍ତ୍ରାଳୟ।

ବାରମ୍ବାର ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। କରୋନାକୁ ନେଇ ରବିବାର ଜନତା କର୍ଫ୍ୟୁର ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବର୍ତ୍ତମାନ ସୁଦ୍ଧା ଦେଶରେ ୪୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ନିକଟସ୍ଥ ମେଡିକାଲର ଆଇସୋସଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

 

Comment