ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ରୁ ସୁରକ୍ଷିତ ରହିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା କଥା କହୁଛନ୍ତି। ହେଲେ ବାସ୍ତବରେ ସାମାଜିକ ଦୂରତା କେତେ ପାଳନ କରାଯାଉଛି ତାହା କମିସନରେଟ୍‌ ପୋଲିସ ଅଧୀନରେ ଥିବା ବିଭିନ୍ନ ଥାନାକୁ ଦେଖିଲେ ଜଣାପଡୁଛି।

ଜରୁରୀ କାମ ପାଇଁ ବାହାରକୁ ଆସୁଥିବା ଲୋକମାନେ ଏବଂ ବ୍ୟାଙ୍କ, ହସ୍ପିଟାଲ ଓ ଗଣମାଧ୍ୟମ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନେ ପାସ୍‌ ସଂଗ୍ରହ କରିବାକୁ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଲୋକେ ବିଭିନ୍ନ ଥାନାରେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି।

ବିଭିନ୍ନ ଥାନା ଆଗରେ ମୁହଁରେ ମାସ୍କ ଲଗାଇ ଲୋକମାନେ ପାସ୍‌ ପାଇଁ ଯେମିତି ଭିଡ଼ ଲଗାଇଛନ୍ତି ସେଥିରେ ‘ସାମାଜିକ ଦୂରତା’ କେମିତି ରକ୍ଷା ହେଲା ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗତ ରବିବାର ଦିନ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଅପିଲ୍‌ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ବିପୁଳ ଜନ ସମର୍ଥନ ମିଳିଥିଲା। ଏପଟେ ରାଜ୍ୟ ସରକାର ୨୨ରୁ ୨୯ ତାରିଖ ଯାଏଁ ୧୪ଟି ଜିଲ୍ଲା ଏବଂ ୮ ପ୍ରମୁଖ ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଜନତା କର୍ଫ୍ୟୁ ଦିନ ଜଣେ ବି ଲୋକଙ୍କୁ ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳି ନଥିଲା। ହେଲେ ଆଜି ବହୁ ଲୋକ ବିଭିନ୍ନ କାମ ଆଳରେ ଯିବା ଆସିବା କରିଥିଲେ।

କମିସନରେଟ୍‌ ପୋଲିସ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ନାକେଦମ୍‌ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିସନର ପାସ୍‌ ବ୍ୟବସ୍ଥା କଥା କହିଥିଲେ ମଧ୍ୟ ପରିସ୍ଥିତି ଏବେ ଭିନ୍ନ ମୋଡ଼ ନେଲାଣି। ଯେଉଁ ‘ସାମାଜିକ ଦୂରତା’ ପାଇଁ ଏତେ ପଦକ୍ଷେପ ନିଆଯାଇଛି ତାହା ପାସ୍‌ ସଂଗ୍ରହ ପାଇଁ ଭାଙ୍ଗି ଯାଉଛି।

ପାସ୍‌ ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ଲୋକ ଭିଡ଼ ଜମାଉଛନ୍ତି। ହେଲେ ପାସ୍‌ ବି ଠିକ୍‌ରେ ମିଳୁ ନଥିବା ଲୋକେ କହିଛନ୍ତି। ଥାନା ଆଗରେ ଏମିତି ଭିଡ଼ ହେଲେ ସାମାଜିକ ଦୂରତା କେମିତି ରକ୍ଷା କରାଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here