ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାର ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର। ଯେଉଁ ଜିଲ୍ଲା ଓ ସହରଗୁଡ଼ିକରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ସେଠି ଜୋରଦାର ଚେକିଂ କରୁଛି ପୋଲିସ। ଆଜି ଲକ୍‌ଡାଉନ୍‌ର ତୃତୀୟ ଦିନରେ ରାଜଧାନୀର ପ୍ରମୁଖ ଛକମାନଙ୍କରେ ପୋଲିସ ଜୋରଦାର ଚେକିଂ ଚଳାଇଛି। ଯେଉଁମାନେ ଜରୁରୀ କାର୍ଯ୍ୟରେ ଯାଉଛନ୍ତି ବା ଆଇ କାର୍ଡ ଦେଖାଉଛନ୍ତି, ସେମାନଙ୍କୁ ହିଁ ପୋଲିସ ଯିବାକୁ ଦେଉଛି। ଯେଉଁମାନେ ଅଯଥା ଘରୁ ବାହାରୁଛନ୍ତି ପୋଲିସ ତାଙ୍କୁ ଫେରାଇ ଦେଉଛି।

ଭୁବନେଶ୍ଵରର ପ୍ରମୁଖ ଛକ ନାଲ୍‌କୋ ଛକ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ, ବାଣୀ ବିହାର ଛକ, ରସୁଲଗଡ଼ ଛକ, ଏଜି ଛକ, ପଳାଶୁଣି ଛକ, ଡମଣା ଛକ ଭଳି ଅନେକ ଛକମାନଙ୍କରେ ପୋଲିସ ଲାଇନ୍‌ ପରେ ଲାଇନ୍‌ ଗାଡ଼ିକୁ ଠିଆ କରି ପଚରାଉଚରା କରୁଛି। କୁଆଡ଼େ ଯାଉଛ, କ’ଣ ପାଇଁ ଯାଉଛ ଆଦି ପ୍ରଶ୍ନ ପଚାରୁଛି। ଯେଉଁମାନେ ଜରୁରୀ ସେବାରେ ଅଛନ୍ତି ସେମାନେ ନିଜ ଆଇ କାର୍ଡ ଦେଖାଇ ଯାଉଥିବା ବେଳେ ଯେଉଁମାନେ ଜରୁରୀ କାମରେ ଆସି ନଥିଲେ ତାଙ୍କୁ ଫେରାଇ ଦେଉଛି।

ଏପଟେ ରାଜ୍ୟସରକାର ମଙ୍ଗଳବାରଠାରୁ ୧୪ ଜିଲ୍ଲାରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ଆଜି ମଧ୍ୟରାତିରୁ ପୂରା ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହିସବୁ ଜିଲ୍ଲାରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ।

ରାଜ୍ୟସରକାର ଲକ୍‌ ଡାଉନ୍‌ ଘୋଷଣା କରିଥିବା ଜିଲ୍ଲାଗୁଡ଼ିକରେ ସମାନ ସ୍ଥିତି ଦେଖିବାକୁ ମିଳୁଛି। ପୋଲିସ ଏହିସବୁ ଜିଲ୍ଲାଗୁଡ଼ିକାର କଡ଼ାକଡ଼ି ଯାଞ୍ଚ କରୁଛି।

Comment