ଓଡ଼ିଶାଲାଇଭ୍‌ କରୋନା ବ୍ୟରୋ

କରୋନା, କରୋନା, କରୋନା – ଏବେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ-କରୋନା। କରୋନା ଭୂତାଣୁଜନିତ ସଂକ୍ରମଣର କୌଣସି ସଫଳ ଚିକିତ୍ସା ଉପଲବ୍ଧ ନଥିବା ବେଳେ ଏହାର ପ୍ରଭାବକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ଭୂତାଣୁଜନିତ ସଂକ୍ରମଣ ହାରକୁ ରୋକିବା ପାଇଁ ପ୍ରୟାସ କରିବା । ବିଶେଷଜ୍ଞଙ୍କ କହିବା ମୁତାବକ ଏହି ମାରାତ୍ମକ ଭୂତାଣୁ ଦାଉରୁ ନିଜକୁ ରକ୍ଷା କରିବାର ସହଜ ଉପାୟ ହେଉଛି ସାମାଜିକ ଦୂରତା ରଖିବା। ଯାହା ଅନ୍ତର୍ଗତ ଲୋକମାନେ ଭିଡ଼ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି। ଏହା ସହିତ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଅତିକମ୍ରେ ଦୁଇ ମିଟର୍ ବା ଛଅ ଫୁଟ୍ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ବାସ୍ତବରେ ସାମାଜିକ ଦୂରତା କହିଲେ କ’ଣ ବୁଝାଏ ଓ ଏହାକୁ ଆପଣେଇ ଆମେ କିପରି କରୋନା ଭୂତାଣୁଠାରୁ ସୁରକ୍ଷିତ ରଖିପାରିବା, ଚାଲନ୍ତୁ ସେ ବିଷୟରେ ଜାଣିବା ?

ସାମାଜିକ ଦୂରତା ରଖିବା

ସାମାଜିକ ଦୂରତା ରଖିବାର ଅର୍ଥ ହେଉଛି ଅନ୍ୟ ଲୋକମାନଙ୍କଠାରୁ ସୁରକ୍ଷିତ ବ୍ୟବଧାନରେ ରହିବା। ଜଣେ ସଂକ୍ରମିତ ବ୍ୟକ୍ତି ଛିଙ୍କିଲେ ବା କାଶିଲେ, ତାଙ୍କ ପାଟିରୁ ଛେପର ଅତି କ୍ଷୁଦ୍ର କଣିକା ବାହାରି ପବନରେ ମିଶିଯାଏ, ଯାହା ଖାଲି ଆଖିରେ ଦେଖିହୁଏ ନାହିଁ । ଏହି କଣିକାରେ ଭୂତାଣୁ ରହିଥାଏ। ଯଦି କେହି ଏହି ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଯାଏ, ତେବେ ପବନରେ ଥିବା ଏହି କଣିକାଗୁଡ଼ିକ ସୁସ୍ଥ ମଣିଷର ଶରୀରରେ ଶ୍ୱାସତନ୍ତ୍ର ରାସ୍ତାରେ ପ୍ରବେଶ କରିପାରିବେ। ଏହା ବ୍ୟତୀତ ଯଦି ଆପଣ ଏପରି କୌଣସି ସ୍ଥାନକୁ ହାତରେ ସ୍ପର୍ଶ କରୁଛନ୍ତି, ଯେଉଁଥିରେ ଏହି ବିଷ କଣିକା ପଡ଼ିଛି, ତାପରେ ସେହି ହାତରେ ଆପଣଙ୍କ ମୁହଁ, ନାକ ବା ଆଖିକୁ ସ୍ପର୍ଶ କରୁଛନ୍ତି, ତାହାହେଲେ ମଧ୍ୟ ଏହି କଣିକାଗୁଡ଼ିକ ଆପଣଙ୍କ ଶରୀରରେ ପ୍ରବେଶ କରିଥାନ୍ତି। ଏହି କାରଣରୁ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଅତିକମରେ ଦୁଇ ମିଟର୍ ବା ଛଅ ଫୁଟ୍ ବ୍ୟବଧାନ ରଖିବାକୁ କୁହାଯାଉଛି। ଏହାସହିତ ଲୋକମାନଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି।

ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜଣେ ବ୍ୟକ୍ତି କ’ଣ କରିପାରିବେ?

  • ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରୁହନ୍ତୁ।
  • ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ।
    ପରସ୍ପରକୁ ଅଭିନ୍ଦନ ଜଣାଇବା ବେଳେ ଏକ ମିଟରରୁ ଅଧିକ ଦୂରରେ ରୁହନ୍ତୁ ।
  • ଜନ ସମାବେଶ ଯେପରିକି ସାଂସ୍କୃତିକ, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମଠାରୁ ଦୂରେଇ ରୁହନ୍ତୁ ।
  • ସର୍ବସାଧାରଣ ସ୍ଥାନରେ ସାତ ଜଣରୁ ଅଧିକ ବ୍ୟକ୍ତି ଏକତ୍ରିତ ହୁଅନ୍ତୁ ନାହିଁ।
  • ଯଦି କାହାକୁ ଥଣ୍ଡା ବା ଜ୍ୱର ହୋଇଛି ତେବେ ସେମାନଙ୍କ ପାଖକୁ ଯାଆନ୍ତୁ ନାହିଁ ।
  • କାଶିବା/ ଛିଙ୍କିବା ବେଳେ ମୁହଁକୁ ରୁମାଲରେ ଘୋଡ଼ାଇ ରଖନ୍ତୁ ।
  • କାଶ, ଫ୍ଲୁର ଲକ୍ଷଣ ଦେଖାଦେଲେ ଘରେ ଏକାନ୍ତରେ ରୁହନ୍ତୁ।
  • ସମ୍ଭବ ହେଲେ ନିଜ ଘରେ ରହି ଅଫିସ୍ କାମ କରନ୍ତୁ।
  • ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ। କରୋନା ଭୂତାଣୁଜନିତ ସଂକ୍ରମଣକୁ ରୋକିବା ସମ୍ଭବ ନହେଲେ ମଧ୍ୟ ଆମର ଏହି ପ୍ରୟାସ ଯୋଗୁଁ ସଂକ୍ରମଣ ହାର ନିଶ୍ଚିତ ଭାବେ କମ୍ କରି ହେବ।

Comment