ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରୁ ମାତ୍ର ୧୦୦ ମାଇଲ୍‌ ଦୂରରେ ତାଇଓ୍ୱାନ୍‌। ଜାନୁଆରି ଶେଷ ବେଳକୁ କରୋନା ଭୂତାଣୁର ପ୍ରଥମ ମାମଲା ତାଇଓ୍ୱାନକୁ ଆସିଥିଲା। ହେଲେ ଏହାର ଏକ ମାସ ପୂର୍ବରୁ ଚୀନରେ କରୋନା ଭୂତାଣୁ ନକ୍ସଲ ଭଳି ବ୍ୟାପିଯାଇଥିଲା। ବର୍ତ୍ତମାନ ସୁଦ୍ଧା ଚୀନରେ ୮୧ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ହେଲେ ଚୀନ ନିକଟରେ ଥିବା ତାଇଓ୍ଵାନରେ କେବଳ ୨୩୫ଟି କରୋନା ମାମଲା ସାମ୍ନାକୁ ଆସିଛି। କେବଳ ଆଗୁଆ ପ୍ରସ୍ତୁତି ଓ ନିଜର ବୁଦ୍ଧିମତା ପାଇଁ ତାଇଓ୍ୱାନ କରୋନା ଭଳି ମହାମାରୀକୁ ହରାଇ ପାରିଛି।

ବିଶ୍ୱର ବହୁ ଉନ୍ନତଶୀଳ ରାଷ୍ଟ୍ର ଆମେରିକା, ଇଟାଲୀ, ବ୍ରିଟେନ୍, ସ୍ପେନ୍ ଆଜି ବି ନିଜକୁ କରୋନା କବଳରୁ ରକ୍ଷା କରିପାରିନାହାନ୍ତି। ଫଳରେ ସେଠାରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଅନ୍ୟପଟେ ଚୀନର ପଡ଼ୋଶୀ ତାଇଓ୍ୱାନ କରୋନାକୁ ମାତ୍‌ ଦେଇଛି।

ତାଇଓ୍ୱାନ୍‌ର ପ୍ରାକ୍‌ ପ୍ରସ୍ତୁତି

ଡିସେମ୍ବର ବେଳକୁ ଚୀନରେ ହୁ ହୁ ହୋଇ ବ୍ୟାପିବାରେ ଲାଗିଥିଲା କରୋନା ଭାଇରସ। କରୋନା ଚୀନ ଛଡ଼ା ଏହାର ଆଖପାଖ ରାଷ୍ଟ୍ରରେ ଦ୍ରୁତ ଗତିରେ ମାଡ଼ତ ଚାଲିଥିଲା। ଏହି ସମୟରେ ଚୀନ୍‌ଠାରୁ ଅଳ୍ପ କେତେ କିଲୋମିଟର ଦୂରରେ ଥିବା ତାଇଓ୍ୱାନ୍ ନିଜ ଅଞ୍ଚଳକୁ ରକ୍ଷା କରିବା ପାଇଁ ଏକଜୁଟ୍‌ ହୋଇଥିଲା।

ତାଇଓ୍ୱାନ୍‌ସ୍ଥିତ ସେଣ୍ଟ୍ରାଲ ଏପିଡେମିକ କମାଣ୍ଡ ସେଣ୍ଟର ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲା। କରୋନାକୁ ନିଜ ଅଞ୍ଚଳରେ ମହାମାରୀ ରୂପ ନେବା ପୂର୍ବରୁ ତାଇଓ୍ୱାନ୍‌ ପାଚେରୀ ସଦୃଶ ହୋଇ ଠିଆ ହୋଇଥିଲା।

ଗତବର୍ଷ, ଡିସେମ୍ବରରୁ ହିଁ ତାଇଓ୍ୱାନ୍‌କୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ସ୍କ୍ରିନିଂ ଆରମ୍ଭ କରିଥିଲା।  ଖାସ୍‌ କଥା ହେଉଛି ସ୍କ୍ରିନିଂରେ କୌଣସି ଯାତ୍ରୀଙ୍କର କରୋନା ସଂକ୍ରମଣ ଚିହ୍ନଟ ହୋଇ ନଥିଲା।

ଏହାପରେ ତାଇଓ୍ୱାନ୍‌ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଫେସ୍‌ ମାସ୍କ ଓ ଅନ୍ୟାନ୍ୟ ଉପାଦନ ପ୍ରସ୍ତୁତ କରିବା ଆରମ୍ଭ କରି ଦଇେଥିଲା। ଅନ୍ୟ ଦେଶରୁ ତାଇଓ୍ୱାନ୍‌କୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଦୁଇ ସପ୍ତାହ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଥିଲା।

ସୁରକ୍ଷା ବାହିନୀ ପ୍ରସ୍ତୁତ କଲେ ମାସ୍କ ଓ ସାନିଟାଇଜର

ଚୀନ୍‌ରେ କରୋନା ବିସ୍ତାର ହେବା ମାତ୍ରେ ହିଁ ତାଇଓ୍ୱାନ୍‌ ନିଜ ଅଞ୍ଚଳକୁ ଭାଇରସ ନ ଆସିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲା। କିଛି ବିପଦ ଆସିଲେ ଦେଶର ସରକାରମାନେ ନିଜ ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଦାୟିତ୍ୱରେ ଲଗାଇଥା’ନ୍ତି, ହେଲେ ତାଇଓ୍ୱାନ୍‌ର ଦୃଶ୍ୟ କିଛି ଅଲଗା ଥିଲା।

ତାଇଓ୍ୱାନ୍‌ ନିଜ ସୁରକ୍ଷାବଳ, ସିପାହୀମାନଙ୍କୁ ଫ୍ୟାକ୍ଟ୍ରିରେ ନିୟୋଜିତ କରିଥିଲା। ଏହିସବୁ ଫ୍ୟାକ୍ଟ୍ରିରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଚିକିତ୍ସା ଉପକରଣ ଯେମିତି ମାସ୍କ, ସାନିଟାଇଜର ପ୍ରସ୍ତୁତ କରାଯାଉଥିଲା। ଏହି ସିପାହୀମାନେ ମାସ୍କ ଓ ସାନିଟାଇଜରକୁ ଲୋକମାନଙ୍କ ପାଖରେ ମଧ୍ୟ ପହଞ୍ଚାଉଥିଲେ।

ତାଇଓ୍ୱାନ୍‌ରେ ଜନସଂଖ୍ୟା ଦୁଇ କୋଟି ଥିବା ବେଳେ ଏଠାରେ କରୋନା ସଂକ୍ରମିତ ସଂଖ୍ୟା ମାତ୍ର ୨୩୫। ଫ୍ରେବୁଆରି ୬ ସୁଦ୍ଧା ୨୦ଟି ମାମଲା ରୁଜୁ ହୋଇଛି।

ଏହାସହ ଚୀନ୍‌, ହଂକଂ ସମେତ ଅନେକ ଦେଶରୁ ଯାତ୍ରୀମାନଙ୍କୁ ତାଇଓ୍ୱାନ୍‌ରେ ପ୍ରବେଶ କରିବାକୁ ବାରଣ କରାଯାଇଛି।

Comment