ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି କରୋନା ଭାଇରସ୍ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି 

କାରଣ, ଯେତେବେଳେ କଲେରା, ଟାଇଫଏଡ୍, ବସନ୍ତ, ଡେଙ୍ଗୁ ଇତ୍ୟାଦି ସଂକ୍ରାମକ ରୋଗର ଚିକିତ୍ସା ନଥିଲା ଏହା ବ୍ୟାପକ ଭାବରେ ସଂକ୍ରମିତ ହେଉଥିଲା।

ସେତେବେଳେ ମଧ୍ୟ ଯେଉଁମାନେ ପରିଷ୍କାର ପରିଚ୍ଛନ୍ନ ରହୁଥିଲେ ଓ ସାବଧାନ ହୋଇ ଚଳୁଥିଲେ ସେମାନେ ରୋଗମୁକ୍ତ ରହିଥିଲେ। ମାତ୍ର ଯାହାର ରହିବାକୁ ଘର ନାହିଁ, କି ରୋଜଗାର ନଥିବାରୁ ଭୋକ ଉପାସରେ ମରିବାର ଭୟ ହେଉଛି, ତା’ର ଭୟ ଦୂର କରିବା ପାଇଁ ଯେଉଁ ପ୍ରକାର ସାହାଯ୍ୟ ଦରକାର ସେଭଳି ସାହାଯ୍ୟ ସରକାର କେବଳ ଅଳ୍ପ ସମୟ ପାଇଁ ଦେଇପାରିବେ।

ଭୁବନେଶ୍ଵରରେ ଅନେକ ଲୋକ ଝାଟିମାଟି ଘରେ ନଳା କଡ଼ରେ ରହୁଛନ୍ତି। ଅନେକେ ଗୋଟିଏ ରୁମ୍‌ରେ ୪ ଜଣ ରହୁଛନ୍ତି। ସେମାନେ କେତେ ସଫାସୁତୁରା ହେଇ ଅନ୍ୟଠାରୁ ଦୂରେଇ ରହିପାରିବେ?

ଅନ୍ୟ ପ୍ରକାରର ଭୟ ହେଲା ପିଲାଙ୍କର। ସେମାନେ ଡରିଲାରୁ ରାତିରେ ଶୋଉ ନାହାନ୍ତି, ଶୋଇଲେ ଡର ସ୍ଵପ୍ନ ଦେଖି ଆହୁରି ଡରୁଛନ୍ତି, ଖାଉ ନାହାନ୍ତି କିମ୍ବା ଯିଏ ଖାଇବାକୁ ଭଲପାଏ ସବୁବେଳେ ଖାଉଛି। ନିଜର ମନର ଭାରା କମାଇବା ଲାଗି ଏମାନଙ୍କୁ ସହଜ ଭାଷାରେ ଯେତିକି ବୁଝାଇବା ଦରକାର ସେତିକି କହି, ଅନ୍ୟ ବିଷୟରେ ସେମାନେ କେମିତି ମନ ଦେବେ, ତା’ର ବ୍ୟବସ୍ଥା କରିବା କଥା।

ବୟସ ଅନୁସାରେ ସେମାନେ ଘର କାମରେ ସାହାଯ୍ୟ କରିପାରିବେ, ସେଲ୍ ଫୋନ୍‌ର ଇଣ୍ଟରନେଟ୍ ଜରିଆରେ ସାଙ୍ଗମାନଙ୍କ ସାଙ୍ଗରେ ଗପସପ କରିପାରିବେ, ଯିଏ ସିଲେଇ ଜାଣେ ସେ ମୁହଁରେ ବାନ୍ଧିବା ମୁଖା ବା ମାସ୍କ ତିଆରି କରି ବାଣ୍ଟିପାରେ, ଗପ ବହି ପଢ଼ିପାରେ, ଏକାଠି ବସି ଭଜନ ଶୁଣିପାରନ୍ତି ବା ବୋଲି ପାରନ୍ତି, ତାସ୍, ଚେସ୍, ଲୁଡୋ ଇତ୍ୟାଦି ଖେଳି ପାରନ୍ତି।

ମୋଟ କଥା କରୋନା ଭାଇରସ୍ ବିଷୟରେ ଦିନରେ ୧୦ ମିନିଟରୁ ବେଶୀ ଆଲୋଚନା ନ କରି ମନକୁ ଅନ୍ୟଆଡ଼େ ନେଇ ବିଭିନ୍ନ କାମ କଲେ ଓ ହସ, ଖୁସି କଉତୁକ କଥା କହିଲେ ମନର ଭୟ ଓ ଆତଙ୍କ କମିଯିବ।

ଯେଉଁମାନେ ସହଜରେ ମାନସିକ ଚାପ ଅନୁଭବ କରନ୍ତି, ସେମାନେ ଏକରୁ – ଦଶଯାକେ ଗୋଟାଏ ମାପକାଠି କରି ନିଜ ମନର ଚାପର ମାତ୍ରା ଦେଖିବେ। ଯଥା – ଏକ ନମ୍ବର ଯଦି ହେଲା ଅତି ଲଘୁ, ତାହାହେଲେ ଦଶ ନମ୍ବର ହେବ ଅତି ଗୁରୁତର। ଯେଉଁମାନେ ଲଘୁ ଓ ମଧ୍ୟମ ପ୍ରକାରର ଚାପ ଅନୁଭବ କରନ୍ତି ସେମାନେ ସାଧାରଣତଃ ମାନସିକ ସ୍ଥିତି ସମ୍ଭାଳି ପାରନ୍ତି। ମାତ୍ର ଯିଏ ଗୁରୁତର ଚାପ ଅନୁଭବ କରେ ତା’ର ବ୍ଲଡପ୍ରେସର ହଠାତ୍ ବଢ଼ିବ, ଡାଏବେଟିସ୍ ବଢ଼ିବ, ଏପିଲେପ୍ଟିକ୍ ଫିଡସ୍ ବଢ଼ିବ, ଶୁଚିବାଇ ଥିଲେ ଆହୁରି ବହୁତ ବେଳ ଗାଧୋଇବେ, ହାତ ଧୋଇବେ, ଧୋବାଘରୁ ଲୁଗା ଆସିଲେ ତା’କୁ ଧୋଇ ଶୁଖାଇବେ ଓ ଦୁଶ୍ଚିନ୍ତାରେ ଘାରିହେବେ।

ଏଭଳି ଲୋକମାନେ ଟେଲିଫୋନ୍ ଜରିଆରେ କାଉନସେଲର୍ ବା ମନୋବୈଜ୍ଞାନିକଙ୍କଠାରୁ ନିଜର ବିଶେଷ ସମସ୍ୟାର ପ୍ରତିକାର ପାଇଁ ପରାମର୍ଶ ଲୋଡିବେ। ବର୍ତ୍ତମାନ ଯେଉଁମାନେ ମାନସିକ ଚିକିତ୍ସା କରନ୍ତି ବା ମାନସିକ ସମସ୍ୟା ବିଷୟରେ ପରାମର୍ଶ ଦିଅନ୍ତି ସେମାନେ ଓଡ଼ିଆରେ ‘ଅନଲାଇନ୍’ ପରାମର୍ଶ ଦେବାର ବ୍ୟବସ୍ଥା କଲେ ଅନେକ ଉପକୃତ ହେବେ।

Comment