ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

‘’୭୬ ଦିନ ପରେ ମୁଁ ଏବେ ମୁକ୍ତ ଭାବେ କଥା କହିପାରୁଛି’’

‘‘ମୋ’ ସହ କଥା ହେବାକୁ କେହି ନଥିଲେ’’

‘‘୭୬ ଦିନ ଯାଏଁ ମୁଁ ମୋ ଘରେ ହିଁ ରହିଥିଲି’’

‘‘ନା ମୁଁ ବାହାରକୁ ବାହାରୁଥିଲି, ନା ମୋ ପଡ଼ୋଶୀ?’’

ଏହା ହେଉଛି ଜଣେ ଭାରତୀୟ ଯୁବକଙ୍କ କାହାଣୀ। ଚୀନର ଉହାନ ସହରରୁ ୭୬ ଦିନର ଲକ୍‌ଡାଉନ୍‌ ହଟିବା ପରେ କେରଳର ଅରୁଣଜିତ୍‌ ନିଜର ଅନୁଭୂତି ବଖାଣିଛନ୍ତି।

ଚୀନର ଉହାନ ସହରରେ କରୋନା ଭାଇରସ୍‌ ତାଣ୍ଡବ ରଚିଥିଲା। ଏହି ସହରରେ ଅନେକ ଜୀବନ କରୋନା ଭାଇରସ୍‌ ନେଇଥିଲା। କରୋନା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ୭୬ ଦିନର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ୍‌ରେ ଫସିଥିଲେ କେରଳର ଅରୁଣଜିତ୍‌। ଉହାନରେ ହାଇଡ୍ରୋବାୟୋଲୋଜିଷ୍ଟ ଭାବେ କାମ କରୁଥିବା ଅରୁଣଜିତ୍‌ ସେହି ୭୬ ଦିନର କରୁଣ କାହାଣୀ ସମ୍ପର୍କରେ କହିଛନ୍ତି।

‘‘ମୁଁ ଚାହିଁଥିଲେ ଭାରତକୁ ଫେରିପାରିଥା’ନ୍ତି। ଚୀନରେ ଥିବା ଭାରତୀୟଙ୍କୁ ନେବା ପାଇଁ ଭାରତ ସରକାର ସ୍ୱତନ୍ତ୍ର ବିମାନ ପଠାଇଥିଲେ। ହେଲେ ମୁଁ ଯିବାକୁ ଚାହିଁ ନଥିଲି। କାରଣ ଯଦି ଯାଇଥା’ନ୍ତି ତାହାଲେ ମୋ’ ପରିବାର ଏବଂ ଶ୍ୱଶୁର ଘର ପରିବାର ବିପଦରେ ପଡ଼ିଥା’ନ୍ତେ। ଏଣୁ ମୁଁ ଭାରତ ନଯାଇ ଉହାନରେ ଲକ୍‌ଡାଉନ୍‌ରେ ରହିଥିଲି। ଉହାନ ସହରରେ ତାଲାବନ୍ଦର ଅନୁଭୂତି ସାଉଁଟିବାକୁ ଚାହିଁଥିଲି’’, କହିଛନ୍ତି ଅରୁଣଜିତ୍‌।

କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ହେଉଛି ଉହାନ୍‌। ଏହି ସହରରେ କରୋନା ନିଜର କାୟା ମେଲାଇ ଚାଲିଥିଲା। ବହୁ ଧନ ଜୀବନ ହାନି ହେବା ପରେ ଜାନୁଆରି ୨୩ରେ ସରକାର ଉହାନ୍‌କୁ ଲକ୍‌ଡାଉନ୍‌ କରିଥିଲେ। ଏହି ସମୟରେ ଅନେକ ଭାରତୀୟ ଘରକୁ ଫେରି ଆସିଥିଲେ। ହେଲେ କେରଳର ଅରୁଣଜିତ୍‌ ଘରକୁ ନଆସି ଉହାନରେ ରହିବାର ଦୁଃସାହସ ଦେଖାଇଥିଲେ।

‘‘ମୁଁ ଏବେ ବହୁତ ଖୁସି ଅଛି। ୮ ତାରିଖରେ ଲକ୍‌ଡାଉନ୍‌ ହଟିବା ପରେ ଆଉ କୌଣସି ପ୍ରତିବନ୍ଧକ ନାହିଁ। ଏବେ ମୁଁ ଯୁଆଡେ ଚାହିଁବି ଯାଇ ପାରିବି। ଉହାନଣ ଲକ୍‌ଡାଉନ୍‌ ଏକ ନୂଆ ଅନୁଭୂତି ଦେଇଛି’’, କହିଛନ୍ତି ଅରୁଣଜିତ୍‌।

ଅରୁଣଜିତ୍‌ ଆହୁରି କହିଛନ୍ତି, ‘‘କେରଳରେ ମୋ ସ୍ତ୍ରୀ, ପିଲାଛୁଆ ଏବଂ ବାପା, ମା’ ଅଛନ୍ତି। ମୋ ଶ୍ୱଶୁର ଝର ମଧ୍ୟ ସେହି ପାଖରେ। ମୁଁ ଭାରତ ଫେରିଥିଲେ ହୁଏତ ମୋ’ ପାଖରେ କରୋନା ଭୂତାଣୁର କିଛି ଲକ୍ଷଣ ଦେଖାଯାଇଥାନ୍ତା। କରୋନା ବୟସ୍କ ଏବଂ ଛୁଆଙ୍କ ଉପରେ ବେଶୀ ପ୍ରଭାବ ପକାଉଥିବାରୁ ମୁଁ ଘରକୁ ଯିବାକୁ ଉଚିତ ମଣିନଥିଲି। ମୋ’ ପାଇଁ ଦୁଇଟି ପରିବାର ଅସୁବିଧାରେ କାହିଁକି ପଡ଼ିଥାନ୍ତେ?’’

coronaଭାରତ ସରକାରଙ୍କ ଲକ୍‌ଡାଉନ୍‌କୁ ଅରୁଣଜିତ୍‌ ପ୍ରଶଂସା କରିଛନ୍ତି। ଭାରତ କରୋନା ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଇଛି ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି।

‘‘ଆଉ କିଛି ମାସରେ ଭାରତରେ ମୌସୁମୀ ବାୟୁ ପ୍ରବେଶ କରିବ। ଏହି ସମୟରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର ହେବା ସାଧାରଣ କଥା। ଏହାସହ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଏହି ସମୟରେ କମ୍‌ ଥାଏ। ଏଣୁ ଏଥିପ୍ରତି ସରକାର ସତର୍କ ହେବା ଜରୁରୀ’’

ଉହାନ ସହରରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ଜଣେ ବି ବ୍ୟକ୍ତି ଘରୁ ବାହାରି ନଥିଲେ।

‘‘ମୁଁ ମୋ ନିଜକୁ ୭୬ ଦିନ ଯାଏଁ ଗୋଟିଏ ଘରେ ତାଲାବନ୍ଦ କରି ରଖିଥିଲି। ମୁଁ ଆଦୌ ବାହାରକୁ ବାହାରି ନଥିଲି। ମୋ’ ପଡ଼ୋଶୀଙ୍କର ତିନି ଜଣ ଛୁଆ ଅଛନ୍ତି। ସେମାନେ ବେଳେ ବେଳେ ମୋ’ ପାଖକୁ ଚାଲି ଆସନ୍ତି। ହେଲେ ଲକ୍‌ଡାଉନ୍‌ ବେଳେ ସେମାନଙ୍କୁ ବାହାରେ ଦେଖୁ ନଥିଲି’’, ଲକ୍‌ଡାଉନ୍‌ର କାହାଣୀ ବଖାଣି ଏହା କହିଛନ୍ତି ଅରୁଣଜିତ୍‌।

Comment