ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୋଦୀ।

ସାରାଦେଶରେ ଲକଡାଉନ୍ ଅବଧି ବୃଦ୍ଧି ଘଟିବ କି? ଭାରତର ପ୍ରତ୍ୟେକ ଜନସାଧାରଣଙ୍କ ମନରେ ବର୍ତ୍ତମାନ ଏହି ପ୍ରଶ୍ନ ଉଙ୍କି ମାରୁଛି। ଦେଶରେ ଲଗାତାର ଭାବରେ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାବେଳେ ଲକଡାଉନ୍ ବୃଦ୍ଧି କରିବାକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସି ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଦେଶରେ ଲକଡାଉନ୍ ଅବଧି ବୃଦ୍ଧି କରାଯିବ ନେଇ ଆଲୋଚନା ହୋଇଛି। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ହେଲେ ହିଁ କରୋନା ଭାଇରସକୁ ଭାରତ ଜିତିପାରିବ ବୋଲି ଆଲୋଚନା ହୋଇଛି। ଏହି ଅବସରରେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।

ସାରା ଦେଶରେ ବର୍ତ୍ତମାନ ୨୧ ଦିନିଆ ଲକାଡାଉନ୍ ଜାରିରହିଛି। ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଲକଡାଉନ୍ ଏପ୍ରିଲ୍ ୧୪ ତାରିଖରେ ଶେଷ ହେଉଛି। ହେଲେ ବର୍ତ୍ତମାନ ଭାରତରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଥିବାବେଳେ ପ୍ରତ୍ୟେକ ଦିନ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଲକଡାଉନ୍ ଉଠିଗଲେ ସ୍ଥିତି ଆହୁରି ଜଟିଳ ହେବା ସହିତ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି।

corona

ବିଶେଷକରି ଲକଡାଉନ୍ ଉଠିଗଲେ ଟ୍ରେନ୍,ବସ୍ ଓ ବିମାନ ସେବାଗୁଡ଼ିକ ଆରମ୍ଭ ହୋଇଯିବ। ଫଳରେ ବିଦେଶରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରୁ ଲୋକମାନେ ନିଜ ନିଜର ଜନ୍ମମାଟିକୁ ଫେରିବାକୁ ଚାହିଁବେ। ଯାହାଫଳରେ କରୋନା ସଂକ୍ରମଣ ଅଧିକ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ତେଣୁ ଦେଶରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ସୂଚନା ମିଳିଛି। ଏପରିକି ମୋଦୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମଧ୍ୟ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢ଼େଇବାକୁ ପ୍ରସ୍ତାବ ଦେଇଛନ୍ତି।

Comment