ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନରେ ଘରେ ସମୟ ବିତାଇବାକୁ କ’ଣ ବାଟ ବାହାର କରିଛନ୍ତି ଓଡ଼ିଆ ମଡେଲ ତଥା ଅଭିନେତ୍ରୀ ସ୍ୱପ୍ନା ପତି? ଜାଣନ୍ତୁ

ସୁନ୍ଦର ଅଭିନୟ ଓ ଆକର୍ଷଣୀୟ ଚେହେରା ପାଇଁ ସିନେମା ଜଗତରେ ବେଶ୍‌ ନାଁ କରିଛନ୍ତି ଅଭିନେତ୍ରୀ ତଥା ମଡେଲ ଓଡ଼ିଆ ଝିଅ ସ୍ୱପ୍ନା ପତି। ହିନ୍ଦୀ, ଓଡ଼ିଆ, ତେଲୁଗୁ ଓ ବଙ୍ଗଳା ସିନେମାରେ ସେ ଅଭିନୟ କରି ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ଅଭିନୟ ସହିତ ନିଜ ଆୟର ଏକ ଅଂଶ ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ସେ ଖର୍ଚ୍ଚ କରନ୍ତି। ସବୁବେଳେ ତାଙ୍କର ବିଜି ସିଡ୍ୟୁଲ। କିନ୍ତୁ ଏବେ କରୋନା ଭାଇରସ ପାଇଁ ସେ ଘରେ ଅଛନ୍ତି। ଘରେ ରହି ସମୟକୁ ନିଜ ଅନ୍ଦାଜରେ ବିତାଉଛନ୍ତି ସ୍ୱପ୍ନା।

‘‘ଆଗରୁ ଜୀବନରେ ଗୋଟିଏ ଅଲଗା ରୋଟିନ୍‌ ଥିଲା। ସବୁବେଳେ ବାହାରେ ସମୟ କଟୁଥିଲା। ସୁଟିଂ, ଟ୍ରାଭେଲିଂରୁ ବ୍ରେକ ମିଳୁନଥିଲା। ଘରେ ସମୟ ବିତାଇବା ପାଇଁ ବା  କିଛି କାମ କରିବାର ସୁଯୋଗ ମିଳୁନଥିଲା। କିନ୍ତୁ ଏବେ ଲକଡାଉନ ଗୋଟିଏ ସୁଯୋଗ ଦେଇଛି। ମୁଁ ଘରେ ରହି କିଛି ଘର କାମ କରିବାର ସୁଯୋଗ ପାଇଛି’’ ଓଡ଼ିଶାଲାଇଭ୍‌କୁ କହିଛନ୍ତି ସ୍ୱପ୍ନା ପତି।

ସବୁବେଳେ ବିଜି ରହୁଥିବା ସ୍ୱପ୍ନ ଏବେ ଘରେ ରହି ନୂଆ ନୂଆ ଡ୍ରେସ ପିନ୍ଧୁଛନ୍ତି। ନିଜ ଜିନିଷକୁ ସଜାଇ ରଖୁଛନ୍ତି। ପୂର୍ବରୁ ତାଙ୍କୁ ଏହି ସବୁ କାମ କରିବାକୁ ସୁଯୋଗ ମିଳୁନଥିଲା ବୋଲି ସେ କହିଛନ୍ତି। ଏହାସହିତ ସେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ ଥିବା ଓଡ଼ିଆ ଏବଂ ଅଣଓଡ଼ିଆ ଲୋକଙ୍କୁ ସାହଯ୍ୟ କରୁଛନ୍ତି। ଯେଉଁମାନଙ୍କର ଖାଇବା ପିଇବାରେ ସମସ୍ୟା ହେଉଛି ତାଙ୍କୁ କିଛି ଗ୍ରୋସରି ଆଇଟମ୍‌ ଦାନ କରୁଛନ୍ତି।

‘‘ଲକ୍‌ଡାଉନ୍‌ ଗୋଟିଏ ଏମିତି ସମୟ ଦେଇଛି ଯେଉଁ ସମୟରେ ବହୁତ କିଛି ଚିନ୍ତା କରାଯାଇପାରେ। ଏବେ କିଛି ପ୍ରୋଜେକ୍ଟ ନଥିବାରୁ କାହାଣୀ ଲେଖିବାକୁ ଚିନ୍ତା କରୁଛି। ମଣିଷ ଜୀବନରେ କେବେ ଏମିତି ଗୋଟିଏ ସମୟ ଆସିବ ତାହା କେବେ କେହି କଳ୍ପନା କରିନଥିଲେ। ତେଣୁ ଏହା ଉପରେ କାହାଣୀ ଲେଖିବାକୁ ଭାବୁଛି କହିଛନ୍ତି’’ ସ୍ୱପ୍ନା।

ସ୍ୱପ୍ନାଙ୍କ କହିବା କଥା ଯେ ଆମେ ସବୁବେଳେ ଜୀବନକୁ ଅତି ସହଜରେ ନେଇଯାଉ। ଏମିତି ଦିନେ କଷ୍ଟ ସମୟ ଆସିବ ଆମେ କେବେ ଭାବିନଥିଲୁ। ଯେଉଁ କାମ ଆଜି ନକରିପାରିଲେ ତାକୁ ଆମେ କାଲି କରିବାକୁ ଭାବୁ। କିନ୍ତୁ କରୋନା ଏହି ଶିକ୍ଷା ଦେଲା ଯେ ଆଜିର ସମୟ ଆଜି ଉପଯୋଗ କରନ୍ତୁ। କାରଣ କାଲି ସେହି ସମୟ ଥିବ କି ନଥିବ କେହି କହିପାରିବେ ନାହିଁ।

‘‘ଯେଉଁ କାମ ଆପଣ ଆଗରୁ କରିନାହାନ୍ତି ସେହି କାମ କରନ୍ତୁ। ନିଜ ଭବିଷ୍ୟତ ପାଇଁ କ’ଣ କରିବା ଦରକାର ସେ କଥା ଚିନ୍ତା କରନ୍ତୁ। ଲକଡାଉନ ପାଳି ଘରେ ରହନ୍ତୁ ଓ ସୁରକ୍ଷିତ ରହନ୍ତୁ’’, ଓଡ଼ିଶାଲାଇଭ ପାଠକଙ୍କୁ ଏହା ଅନୁରୋଧ କରିଛନ୍ତି ସ୍ୱପ୍ନା।

ସ୍ୱପ୍ନା ଟିଭି ବିଜ୍ଞାପନ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଜୁଏଲାରୀ, କଳାମନ୍ଦିର ଶାଢ଼ି ପରି ବିଜ୍ଞାପନରେ ମଧ୍ୟ ଦେଖା ଦେଇଛନ୍ତି। ସେହିପରି ହିନ୍ଦୀ ଫିଲ୍ମ ‘ଟୁ ଡିଜାୟର୍ସ ଆଣ୍ଡ ଏ ଡ୍ରିମ’, ‘ଅର୍ନ୍ତଧ୍ୱନି’, ‘ବୟଫ୍ରେଣ୍ଡ ଡଟ୍‌ କମ୍‌’, ଓଡ଼ିଆ ଫିଲ୍ମ ‘ମାଲ ମହୁ ଜୀବନ ମାଟି’ରେ ଅଭିନୟ କରିଛନ୍ତି।

 

କରୋନାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲକଡାଉନ ଛଡ଼ା ଅନ୍ୟ କିଛି ଉପାୟ ନାହିଁ। କେବଳ ଘରେ ରହିବା ସର୍ବଶ୍ରେଷ୍ଠ ଉପାୟ। ସମସ୍ତଙ୍କ ପାଇଁ ସୁରକ୍ଷିତ ସ୍ଥାନ ହେଉଛି ଘର। ଏହି ଲକଡାଉନ ପିରିୟଡରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଲୋକଙ୍କର କିଭଳି ଦିନ କଟୁଛି, ଘରେ ରହିବା ବେଳେ କ’ଣ କରୁଛନ୍ତି? ଜାଣିବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ‘ଲକଡାଉନ୍‌ ଡାଏରୀ’ ଭଳି ଏକ ନିଆରା ଉଦ୍ୟମ ହୋଇଛି। ଏହି ଧାରାରେ ଆମର ସ୍ୱପ୍ନା ପତିଙ୍କ ସହ ଯୋଗାଯୋଗ ହୋଇଥିଲ।

Comment