ଭାସ୍କର ପରିଚ୍ଛା

କରୋନା ସଂକ୍ରମଣକୁ ରୋକିବା ପାଇଁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଅବଧିକୁ ଆହୁରି ୩ ଦିନ ବଢାଇଛନ୍ତି। ଅର୍ଥାତ ମେ’ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ କୌଣସି ଅର୍ଥନୈତିକ ଗତିବିଧି ସମ୍ଭବ ନୁହେଁ। ଏଣୁ କରୋନା ଯୋଗୁଁ ଓଡ଼ିଶାର ଆର୍ଥିକ ଅବସ୍ଥା ଖରାପ ହେବା ବର୍ତ୍ତମାନଠାରୁ ସ୍ପଷ୍ଟ ଦେଖାଗଲାଣି। ଲକଡାଉନ ନଉଠିବା ପର୍ଯ୍ୟନ୍ତ ସାଧାରଣ ଜୀବନ ଯାତ୍ରା ବି ସମ୍ଭବ ନୁହେଁ। ଏହି କାରଣରୁ ଉତ୍ପାଦନର ରାସ୍ତା କେବେ ଖୋଲିବ ସେନେଇ କେହି ନିଶ୍ଚିତ ନୁହଁନ୍ତି।

ରାଜସ୍ୱ ସ୍ଥିତି

ଗୋଟିଏ ପଟେ ରାଜ୍ୟର ଅର୍ଥନୀତିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାରଙ୍କ ରାଜସ୍ୱ ଆଦାୟ ବି ଉଲ୍ଲେଖନୀୟ ଭାବରେ ହ୍ରାସ ପାଇବ ଏଥିରେ ସନ୍ଦେହ ନାହିଁ। ଚଳିତ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ଯାହା ପୂର୍ବାନୁମାନ କରିଥିଲେ, ଅବକାରୀ ରାଜସ୍ୱ ୫ ହଜାର ୨୫୦ କୋଟି ଟଙ୍କା ହୋଇଥାନ୍ତା। ଓଡ଼ିଶା ସରକାରଙ୍କ ଏହା ହେଉଛି ସବୁଠାରୁ ବେଶୀ ରାଜସ୍ୱ ଦେଉଥିବା ବିଭାଗ। ତେବେ କରୋନା ଯୋଗୁଁ ସବୁ ମଦ ଦୋକାନ ବନ୍ଦ ରହିଛି, ଯାହାଫଳରେ କି ଅବକାରୀ ଆୟ କମିବା ନିଶ୍ଚିତ। ସରକାରୀ ଆକଳନ ଅନୁସାରେ ଅବକାରୀ ଆୟ ୧୫୦୦ରୁ ୨ ହଜାର କୋଟି ଟଙ୍କା ହ୍ରାସ ପାଇବ।

ଅଣଟିକସ ରାଜସ୍ୱ

ଫେବ୍ରୁଆରି ୧୮ ତାରିଖରେ ବିଧାନସଭାରେ ୨୦୨୦ -୨୧ ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପିତ କରିଥିଲେ। ଏଥିରେ ସେ କହିଥିଲେ ଯେ, ଓଡ଼ିଶାର ନିଜସ୍ୱ ଟିକସ ଓ ଅଣଟିକସ ଆଦାୟ ଯଥାକ୍ରମେ ୩୮ ହଜାର ୫୦୦ କୋଟି ଓ ୨ ହଜାର କୋଟି ଟଙ୍କା ହେବ। କିନ୍ତୁ ଯାହା ଦେଖାଯାଉଛି ରାଜସ୍ୱ ଆସିବା ବାଟ ସବୁ ବନ୍ଦ। ସବୁଠାରୁ ବଡ଼ ରାଜସ୍ୱ ଦେଉଥିବା ଖଣିଗୁଡ଼ିକ ବନ୍ଦ ରହିଛି। କିଛି ବର୍ଷ ଧରି ଖଣି ରାଜସ୍ୱ ଏମିତିବି ଘାଟାରେ ଚାଲିଛି।

କେନ୍ଦ୍ରର ଅଂଶ

କେନ୍ଦ୍ର ଟିକସରେ ରାଜ୍ୟର ଅଂଶ ଯାହା ବି  ମିଳିଥାନ୍ତା ସେଥିରେ ବି ଅନିଶ୍ଚିତତା ଦେଖାଦେଇଛି। କେନ୍ଦ୍ର ଟିକସ ବାବଦକୁ ଓଡ଼ିଶା ଚଳିତ ବର୍ଷ ୩୬ ହଜାର ୩୦୦ କୋଟି ଟଙ୍କା ପାଇଥାନ୍ତା। ସେହିଭଳି ଗ୍ରାଣ୍ଟ ଇନ ଏଡ୍‌ ବାବଦକୁ ଓଡ଼ିଶାକୁ ୩୨ ହଜାର କୋଟି ଟଙ୍କା ମିଳିଥାନ୍ତା। ଯେହେତୁ କେନ୍ଦ୍ର ସରକାର ବି ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି, ଆଗାମୀ ଦିନରେ ପ୍ରକୃତରେ କେତେ ଟଙ୍କା କେନ୍ଦ୍ର ଟିକସ ବାବଦକୁ ମିଳିବ ତାହା କହିବା କଷ୍ଟ। ଗୋଟିଏ ଅନୁମାନ କରାଯାଉଛି ଯେ, ଏବର୍ଷ କେନ୍ଦ୍ରରୁ ଟିକସ ବାବଦକୁ ଓଡ଼ିଶାର ଭାଗ ଯାହା ମିଳିଥାନ୍ତା ସେଥିରେ ୫ ହଜାର କୋଟି ଟଙ୍କା କମିବ। ଏହି ପରିମାଣ ଅଧିକ ବି  ହୋଇପାରେ।

coronaକଣ୍ଟିନଜେନ୍ସି ବଢ଼ିଲା

ଇତି ମଧ୍ୟରେ କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର କଣ୍ଟିନଜେନ୍ସି ପାଣ୍ଠି ପରିମାଣ ୨ ହଜାର କୋଟିକୁ ବୃଦ୍ଧି କରିଛନ୍ତି। ଆଗରୁ ଏହା ୪୦୦ କୋଟି ଥିଲା। କୋଭିଡ-୧୯ ବାବଦକୁ ଅବଶ୍ୟ ଅଧିକ ଟଙ୍କା ଓଡ଼ିଶା ଦାବି କରିଛି।

ଏହିଭଳି ଦେଖିବାକୁ ଗଲେ ଲକଡାଉନ ଶେଷ ହେବା ପରେ ଯେତେବେଳେ ଉତ୍ପାଦନ ଓ ବ୍ୟବସାୟ ସ୍ୱାଭାବିକ ହେବ ସେତେବେଳକୁ ଅର୍ଥ ବ୍ୟବସ୍ଥା ଭୀଷଣ ଚାପ ଭିତରକୁ ଆସିଯାଇଥିବ। ଏହି ସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ଓଡ଼ିଶା ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାହା ଅପେକ୍ଷା କରି ଦେଖିବାକୁ ପଡ଼ିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment