ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଆକୁ କିଏ ନଜାଣେ। ଏହାର ସୁନ୍ଦର ବେଳାଭୂମି ଏହା ସମଗ୍ର ବିଶ୍ଵରେ ଜଣାଶୁଣା। ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ୧୯୪୭ ମସିହାରେ ଭାରତ ଇଂରେଜଙ୍କ କବଳରୁ ମୁକ୍ତ ହୋଇଥିଲେ ମଧ୍ୟ ସେତେବେଳେ ଗୋଆ ଭାରତର ଅଂଶ ନଥିଲା। ଦେଶ ସ୍ଵାଧୀନତାର ୧୪ ବର୍ଷ ପରେ ଗୋଆ ସ୍ଵାଧୀନତା ପାଇଥିଲା। ତେବେ ଆସନ୍ତୁ ଜାଣିବା କେବେ ଓ କିପରି ଗୋଆ ଭାରତରେ ମିଶିଥିଲା।

ପର୍ତ୍ତୁଗୀଜମାନେ ୧୫୧୦ ମସିହାରେ ପ୍ରଥମଥର ପାଇଁ ଗୋଆକୁ କାବୁ କରିଥିଲେ। ଏହାପରେ ସେମାନେ ଦୀର୍ଘ ୪୫୦ ବର୍ଷ ଧରି ଏଠାରେ ଶାସନ କରିଥିଲେ। ଗୋଆ ୧୯ ଡିସେମ୍ଵର ୧୯୬୧ ମସିହାରେ ପର୍ତ୍ତୁଗୀଜଙ୍କଠାରୁ ମୁକ୍ତ ହୋଇଥିଲା, କିନ୍ତୁ ସେମାନେ ଏହାକୁ ସହଜରେ ଛାଡ଼ିବାକୁ ନାରାଜ ଥିଲେ। ତେଣୁ ଭାରତକୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିଥିଲା।

ସ୍ଵାଧୀନତା ପରେ ପର୍ତ୍ତୁଗୀଜଙ୍କୁ ଗୋଆକୁ ହସ୍ତାନ୍ତର କରିବାକୁ ଅନୁରୋଧ କରାଯଆଇଥିଲା, କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଗୋଆକୁ ପାଇବା ପାଇଁ ଭାରତ ପାଖରେ ଦୁଇଟି ବିକଳ୍ପ ଥିଲା ଗୋଟିଏ ଯୁଦ୍ଧ ଓ ଅନ୍ୟଟି ସତ୍ୟାଗ୍ରହ। ହେଲେ ପ୍ରଧାନମନ୍ତ୍ରୀ ନେହେରୁ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଗୋଆକୁ ମୁକ୍ତ କରିବାକୁ ଡକ୍ଟର ରାମ ମନୋହର ଲୋହିଆଙ୍କ ବହୁତ ଅବଦାନ ରହିଥିଲା। ୧୯୪୬ ମସିହାରେ ସେ ଗୋଆ ଯାଇଥିଲା। ଯେଉଁଠାରେ ସେ ପର୍ତ୍ତୁଗୀଜମାନଙ୍କର ନିର୍ଯାତନା ଦେଖିଥିଲେ। ପରେ ସେ ଏହାକୁ ସହିନପାରି ୨୦୦ ଲୋକଙ୍କୁ ନେଇ ଏକ ସଭା ଡାକିଲେ।

ପରେ ପର୍ତ୍ତୁଗୀଜମାନେ ଏହା ଜାଣିବାକୁ ପାଇ ଲୋହିଆଙ୍କୁ ପାଞ୍ଚ ବର୍ଷ ପାଇଁ ଜେଲରେ ରଖିଥିଲେ। ଏହାପରେ ଗୋଆର ସ୍ଵାଧୀନତା ସଂଗ୍ରାମ ଜାରି ରହିଥିଲା। ୧୯୬୧ ମସିହା ନଭେମ୍ଵର ମାସରେ ପର୍ତ୍ତୁଗୀଜ ସୈନ୍ୟମାନେ ଗୋଆର ମତ୍ସଜୀବୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଜଣେ ମତ୍ସଜୀବୀ ନିହତ ହୋଇଥିଲେ। ଏହାପରେ ଭାରତ ଗୋଆକୁ ପର୍ତ୍ତୁଗୀଜ କବଳରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭି କେ କୃଷ୍ଣ ମେନନ ଓ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଜରୁରୀ ବୈଠକ ଡାକିଥିଲେ। ପରେ ସେହି ବର୍ଷ ଡିସେମ୍ଵର ୧୭ ତାରିଖରେ ଭାରତର ୩୦ ହଜାର ସୈନ୍ୟ ଅପରେସନ ବିଜୟ ଆରମ୍ଭ କରିଥିଲେ।

ଭାରତୀୟ ସୌନ୍ୟର ଶକ୍ତି ଦେଖି ପର୍ତ୍ତୁଗୀଜ ୩୬ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କରି ଗୋଆ ଛାଡ଼ିବାକୁ ସ୍ଥିର କଲେ। ୧୯ ଡିସେମ୍ଵର ୧୯୬୧ ମସିହାରେ ପର୍ତ୍ତୁଗୀଜମାନେ ଗୋଆ ଛାଡ଼ି ଦେଇଥିଲେ। ପରେ ଗୋଆ ଭାରତରେ ମିଶିଥିଲା।

LEAVE A REPLY

Please enter your comment!
Please enter your name here