ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ସଙ୍କଟ ଯୋଗୁଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଅନେକ ଲୋକ ଲକ୍‌ଡାଉନ୍‌ କାରଣରୁ ନିଜ ନିଜ ଘରକୁ ମଧ୍ୟ ଫେରି ପାରୁନାହାନ୍ତି। ଏହି ସମୟରେ ଗୁଜୁରାଟର ଭବନ ନଗରରୁ ଏକ ହୃଦୟସ୍ପର୍ଶୀ ଚିତ୍ର ଦେଖିବାକୁ ମିଳିଛି। ଜଣେ ୭୦ ବର୍ଷିୟ ହିନ୍ଦୁ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଘର ପାଖରେ ଥିବା ମୁସଲିମ ପଡ଼ୋଶୀମାନେ ତାଙ୍କ ଶବକୁ କାନ୍ଧ ଦେବା ସହ ହିନ୍ଦୁ ରୀତିନୀତି ଅନୁସାରେ ଶବ ଦାହ କରିଥିଲେ।

ମହିଳା ଜଣକ ଭବନଗରର ପଲିଟାନା ରୋଡ୍‌ ଅଞ୍ଚଳରେ ରହୁଥିଲେ। ତାଙ୍କ ସହିତ ତାଙ୍କର ଦୁଇ ପୁଅ ମଧ୍ୟ ରହୁଥିଲେ। ଶୁକ୍ରବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ମହିଳାଙ୍କ ଅଧିକାଂଶ ସମ୍ପର୍କୀୟ ଅହମ୍ମଦାବାଦରେ ରୁହନ୍ତି। ଲକ୍‌ଡାଉନ୍‌ ଯୋଗୁଁ ପରିବାର ଓ ସମ୍ପର୍କୀୟ ପହଞ୍ଚି ପାରି ନଥିଲେ।

corona

ଏଭଳି ଘଟଣା ଦେଖି ମୁସଲମାନ ପଡ଼ୋଶୀମାନେ ସାହାଯ୍ୟର ହାତ ବଢ଼ାଇଥିଲେ। ଏହି ଅଞ୍ଚଳରେ ୫୦ଟି ମୁସଲମାନ ଘର ଥିବାବେଳେ ହିନ୍ଦୁଙ୍କର ଏକମାତ୍ର ଘର ଅଛି। ମହିଳାଙ୍କୁ ମୁସଲମାନମାନେ କାନ୍ଧ ଦେଇଥିଲେ। ଏହାପୂର୍ବରୁ ମୁସଲମାନ ମହିଳାମାନେ ମୃତକଙ୍କ ଘରେ ପହଞ୍ଚି ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ ପରମ୍ପରା ପୂରଣ କରିଥିଲେ।

ଶବଦାହ ସମୟରେ ଉପଯୁକ୍ତ ସାମାଜିକ ଦୂରତା ମଧ୍ୟ ଅନୁସରଣ କରାଯାଇଥିଲା। ଲକ୍‌ଡାଉନ୍‌ ବେଳେ ଏଭଳି ଚିତ୍ର ହିନ୍ଦୁ ମୁସଲମାନ ଭିତରେ ଭାଇଚାରାର ଏକ ବଡ଼ ଉଦାହରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comment