ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗରୁ ଆସିଥିବା ୧୦ ଜଣ କରୋନା ଆକ୍ରାନ୍ତ।

ଓଡ଼ିଶାରେ ପୁଣି ଚିନ୍ତା ବଢ଼ିଲା। ଏହି ଚିନ୍ତା ଆଉ କେଉଁ କାରଣ ପାଇଁ ନୁହେଁ, କରୋନା ଆକ୍ରାନ୍ତଙ୍କୁ ନେଇ। ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମନରେ ଭୟ ଦେଖାଦେଇଛି। ଗତ କିଛିଦିନ ତଳେ ନିଜାମୁଦ୍ଦିନ ଧର୍ମସମ୍ମିଳନୀରୁ ଫେରିଥିବା ଲୋକ ପ୍ରଶାସନର ଚିନ୍ତା ବଢ଼ାଇଥିବା ବେଳେ ଏବେ ପଶ୍ଚିମବଙ୍ଗ ଫେରନ୍ତା ସରକାରଙ୍କ ଚିନ୍ତାକୁ ଦୁଇ ଗୁଣ ବଢ଼ାଇ ଦେଇଛନ୍ତି। ଏବେ ଓଡ଼ିଶାର କେଉଁ କେଉଁ ଅଞ୍ଚଳକୁ ପଶ୍ଚିମବଙ୍ଗରୁ ଲୋକ ଆସିଛନ୍ତି ତାକୁ ନେଇ ଖୋଳତାଡ଼ ଚାଲିଛି।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀର ନିଜାମୁଦ୍ଦିନଠାରେ ଧର୍ମସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୯ ହଜାର ପ୍ରତିନିଧି ଯୋଗ ଦେଇଥିଲେ। ଏହି ସମ୍ମିଳନୀ ଶେଷ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ି ଚାଲିଲା।

ବିଭିନ୍ନ ରାଜ୍ୟରେ ଆକ୍ରାନ୍ତ ବଢ଼ିବାରୁ ଏହାର କାରଣ ନିଜାମୁଦ୍ଦିନ ଲିଙ୍କ୍‌ ବୋଲି ଜଣାପଡ଼ିଲା। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଏନେଇ ତନାଘନା କଲେ। ନିଜାମୁଦ୍ଦିନରୁ ଯେଉଁମାନେ ଫେରିଛନ୍ତି ସେମାନେ ତୁରନ୍ତ ସରକାରଙ୍କ ପାଖରେ ପଞ୍ଜୀକରଣ କରନ୍ତୁ ବୋଲି ନିର୍ଦ୍ଦେଶନାମା ଦିଆଯାଇଥିଲା।

୭୦ରୁ ଅଧିକ ନିଜାମୁଦ୍ଦିନ ଫେରନ୍ତା ଓଡ଼ିଶାରୁ ବାହାରିଥିଲେ। ସେମାନଙ୍କର ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ କଟକ, ପୁରୀ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼ ଜିଲ୍ଲାରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ସହ ନିଜାମୁଦ୍ଦିନ ଲିଙ୍କ୍‌ ରହିଥିଲା।

ନିଜାମୁଦ୍ଦିନ ଲିଙ୍କ୍‌ ଖୋଳତାଡ଼ ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଥିଲା। ଗତ ୧୬ ତାରିଖ ପରଠୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନଥିଲା। ଜଣକ ପରେ ଜଣେ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କ ତ୍ୟାଗ, ସହଯୋଗକୁ ପ୍ରଶଂସା କରିଥିଲେ। ଆଜି କେନ୍ଦ୍ର ସରକାର ମଧ୍ୟ ଓଡ଼ିଶା ଓ କେରଳକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଏହି ପ୍ରଶଂସା ଭିତରେ ଆଜି ଓଡ଼ିଶାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂକ୍ୟା ବଢ଼ିଛି। ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇଛି। ଆହୁହି ବଡ଼ କଥା ହେଲା ୧୦ ଜଣ କେବଳ ପଶ୍ଚିମବଙ୍ଗରୁ ଆସିଛନ୍ତି।

ପଶ୍ଚିମବଙ୍ଗରୁ ଆସିଥିବା ୧୦ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଥିବାରୁ ଏବେ ପଶ୍ଚିମବଙ୍ଗରୁ କେଉଁମାନେ ଆସିଛନ୍ତି ତାକୁ ନେଇ ତନାଘନା ଚାଲିଛି। ପ୍ରତି ପଞ୍ଚାୟତର ସରପଞ୍ଚମାନଙ୍କୁ ଏନେଇ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହାସହ ପଶ୍ଚିମବଙ୍ଗରୁ କେଉଁମାନେ ସେମାନେ ନିଜଆଡୁ ନାମ ପଞ୍ଜୀକରଣ କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି।

ଆଜି ସକାଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ଆସିଲା। ୫ ଜଣ ଭଦ୍ରକରୁ ଏବଂ ୨ ଜଣ ବାଲେଶ୍ୱରରୁ ଚିହ୍ନଟ ହୋଇଥିଲେ।

ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅପରାହ୍ଣରେ ଆଉ ୬ ଜଣ ଚିହ୍ନଟ ହୋଇଥିଲେ। ସେଥିରୁ ୫ ଜଣ ଯାଜପୁରରୁ ହୋଇଥିବା ବେଳେ ଜଣେ ସୁନ୍ଦରଗଡ଼ର ବୋଲି ସରକାର ସୂଚନା ଦେଇଛନ୍ତି।

coronaଆଜି ଯେଉଁ ୧୩ ଜଣ ଚିହ୍ନଟ ହୋଇଛନ୍ତି ସେମାନେ ୪ ଜିଲ୍ଲାର। ଗୋଟିଏ ଦିନରେ ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ସୁନ୍ଦରଗଡ଼ରୁ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହିସବୁ ଜିଲ୍ଲାର ବାସିନ୍ଦା ଏବେ ଭୟଭୀତ ହୋଇଯାଇଛନ୍ତି।

Comment