ଓଡ଼ିଶାଲାଇଭ୍ ବ୍ୟୁରୋ

ଛାଡୁନି କରୋନା ଡର। ପ୍ରତିଦିନ କିଛି ନା କିଛି ନୂଆ ପଜିଟିଭ୍‌ କେସ୍‌ ବାହାରୁଛି। ଆଜି ଗୋଟିଏ ଦିନରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି। ଏହାସହ ଆଜି କୋରାପୁଟରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଅନ୍ୟ ଜିଲ୍ଲା ପାଇଁ ସତର୍କଘଣ୍ଟି ବଜାଇଛି।

ଆଜି ସକାଳେ ବାଲେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ଭିତରେ ଥିଲେ ୪ ମହିଳା ଏବଂ ଜଣେ ପୁରୁଷ। ଏହି ଆକ୍ରାନ୍ତମାନେ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଆଜି ସେମାନଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଏହି ୫ ଆକ୍ରାନ୍ତଙ୍କୁ ନେଇ ଚର୍ଚ୍ଚା ନଥମୁଣୁ ଅପରାହ୍‌ଣରେ ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବାଲେଶ୍ୱର, କୋରାପୁଟ ଏବଂ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ବାଲେଶ୍ୱର ଆକ୍ରାନ୍ତ ଜଣକ କୋଲକାତାରୁ ଫେରିଥିଲେ। ତାଙ୍କ ବୟସ ୩୨ ବର୍ଷ। ସେହିପରି କୋରାପୁଟ ଆକ୍ରାନ୍ତଙ୍କ ଘର ଦଶମନ୍ତପୁର ବ୍ଲକରେ। ସେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରୁଛନ୍ତି। ସେ କିଛିଦିନ ତଳେ କୋଲକାତାରୁ ଫେରିଥିଲେ। ତାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଲା।

ଯାଜପୁରରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାଙ୍କ ବୟସ ୩୪ ବର୍ଷ। ତାଙ୍କର କୋଲକାତା ଲିଙ୍କ ଥିବା କୁହାଯାଉଛି। ଗୋଟିଏ ଦିନରେ ତିନି ଜିଲ୍ଲାରୁ ୮ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢ଼ାଇଛି।

ଆଜିଯାଏଁ କୋରାପୁଟ ଜିଲ୍ଲାରେ ଜଣେ ବି ଆକ୍ରାନ୍ତ ନଥିଲେ। ଆଜି ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ଦେହରେ ଭୂତାଣୁ ଚିହ୍ନଟ ହେବା ପରେ କୋରାପୁଟ ଜିଲ୍ଲାରେ ସତର୍କ ଘଣ୍ଟି ବାଜିଛି।

Comment