ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ଵାଇର ମେରାଇନ ଲାଇନ୍ସ ଚନ୍ଦନବାଡ଼ି ଶ୍ମଶାନ ଘାଟରେ ଶେଷ ହେଲା ବଲିଉଡ୍‌ ଅଭିନେତା ଋଷି କପୁରଙ୍କ ଅନ୍ତିମ ସଂସ୍କାର। ଦିନ ୩ଟା ୪୫ରେ ତାଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଣାଯାଇଥିଲା। ପରେ ବିଦ୍ୟୁତ ଶବଦାହ ଗୃହରେ ଅନ୍ତିମ ସଂସ୍କାର ଶେଷ ହୋଇଛି।

ଦୁଇ ବର୍ଷ ଧରି କ୍ୟାନ୍ସର ସହ ଲଢ଼େଇ କରିବା ପରେ ଋଷି କପୁରଙ୍କ ଆଜି ପରଲୋକ ଘଟିଛି। ଆଜି ସକାଳ ୮ଟା ୪୫ରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଲକ୍‌ଡାଉନ୍‌ ଯୋଗୁଁ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ଶେଷ ହୋଇଥିଲା।

ଅନ୍ତିମ ସଂସ୍କାର ବେଳେ ଋଷିଙ୍କ ସ୍ତ୍ରୀ ନୀତୁ କପୁର, ପୁଅ ରଣବୀର କପୁର, ରେମା ଜୈନ, ମନୋଜ ଜୈନ, ମନୋଜ ଜୈନ, ଅରମାନ ଜୈନ, ଆଦର ଜୈନ, ଅନିଶା ଜୈନ, ରାଜୀବ କପୁର, ରାନ୍ଧୀର କପୁର, ସୈଫ ଅଲ୍ଲୀ ଖାନ୍‌, କରୀନା କପୁର ଖାନ୍‌, ବିମଲ ପାରିକର, ନତାଶା ନନ୍ଦନ, ଅଭିଷେକ ବଚ୍ଚନ, ଆଲିୟା ଭଟ୍ଟ, ଆୟାନ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

ଋଷି କପୁରଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ଅନେକ କଳାକାର ତାଙ୍କୁ ଅନ୍ତିମ ବିଦାୟ ଦେଇ ପାରିନାହାନ୍ତି। ଋଷି କପୁରଙ୍କ ପରଲୋକର ପ୍ରଥମ ଖବର ଅମିତାଭ ବଚ୍ଚନ ସେୟାର କରିଥିଲେ।

ଅନ୍ତିମ ସଂସ୍କାର ବେଳେ ଲକ୍‌ଡାଉନ୍‌ ନିୟମ ପାଳନ କରାଯାଇଥିଲା। ସମସ୍ତ କଳାକର ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିଥିଲେ। ଏହାସହ ଲକ୍‌ଡାଉନ୍‌ ନିୟମ ପାଳିବାକୁ କପୁର ପରିବାର ମଧ୍ୟ ଅପିଲ କରିଥିଲେ।

Comment