ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ସବୁଠୁ ବଡ ମ୍ୟୁଜିକ୍ କମ୍ପାନି ଟି ସିରିଜର ମାଲିକ ଗୁଲସନ କୁମାରଙ୍କ ଆଜି ଜନ୍ମଦିନ। ୧୯୫୬, ମେ’୫ରେ ସେ ଦିଲ୍ଲୀରେ ଜନ୍ମ ହୋଇଥିଲେ। ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ବିଶେଷ କଥା ଆସନ୍ତୁ ଜାଣିବା। 

ଗୁଲସନ କୁମାର ଜଣେ ଫିଲ୍ମ ନିର୍ମାତା ମଧ୍ୟ ଥିଲେ। ଗୁଲସନ କୁମାରଙ୍କର ପୂରା ନାମ ହେଉଛି ଗୁଲସନ କୁମାର ଦୁଆ।  ସେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଗୁଲସନ କୁମାରଙ୍କ ପିତା ଚନ୍ଦ୍ରଭାନ ଦୁଆ ଦିଲ୍ଲୀର ଦରିଆଗଞ୍ଜରେ ଏକ ଜୁସ୍ ଦୋକାନ କରିଥିଲେ।

ଏଥିରେ ଗୁଲସନ ତାଙ୍କୁ ସାହାଯ୍ୟ କରୁଥିଲେ। କିଛି ଦିନ ପରେ ସେ ଏହି କାମ ଛାଡି ଦିଲ୍ଲୀରେ ଏକ କ୍ୟାସେଟ୍ ଦୋକାନ ଖୋଲିଥିଲେ। କମ୍‌ ଦାମ୍‌ରେ ସେ ଗୀତର କ୍ୟାସେଟ ବିକ୍ରି କରୁଥିଲେ। ଦେଖୁ ଦେଖୁ ଗୁଲସନଙ୍କ ବ୍ୟବସାୟ ବଢ଼ିବାକୁ ଲାଗିଲା। ସେ ନୋଏଡାରେ ଟି ସିରିଜ ନାଁରେ ଏକ କମ୍ପାନି ଖୋଲିଲେ। ଏହାପରେ ସେ ମୁମ୍ବାଇ ଆସିଥିଲେ। ଗୁଲସନ କୁମାର ଜଣେ ଭଲ ଗାୟକ ମଧ୍ୟ ଥିଲେ।

ସେ ଅନେକ ଭକ୍ତି ଗୀତ ଗାଇଥିଲେ ଯାହାକୁ ଲୋକମାନେ ଏବେ ବି ପସନ୍ଦ କରୁଛନ୍ତି। ଗୁଲସନ କୁମାରଙ୍କ କମ୍ପାନି ଦୀର୍ଘ ଦିନ ଧରି ବଲିଉଡକୁ ଅନେକ ଗୀତ ଦେଇଛି। କେବଳ ଏତିକି ନୁହେଁ ଗୁଲସନ କୁମାର ଅନେକ ଗାୟକଙ୍କ କ୍ୟାରିୟର ମଧ୍ୟ କରିଥିଲେ। ସେ ସୋନୁ ନିଗମ, ଅନୁରାଧା ପଡୱାଲ ଏବଂ କୁମାର ସାନୁଙ୍କ ପରି  ଗାୟକମାନଙ୍କୁ ଲଞ୍ଚ୍‌ କରିଥିଲେ। ଯେଉଁ ଗାୟକମାନେ ଏବେ ଦେଶ ବିଦେଶରେ ନାଁ କରିଛନ୍ତି।

କିନ୍ତୁ ୧୯୯୭ରେ ଏକ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଅଗଷ୍ଟ ୧୨, ୧୯୯୭ରେ ଗୁଲସନ କୁମାରଙ୍କୁ ମୁମ୍ବାଇର ଏକ ମନ୍ଦିର ବାହାରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଦେଇଥିଲେ। ଏହା ବଲିଉଡକୁ ଏକ ଶକ୍ତ ଝଟକା ଦେଇଥିଲା। ଏବେ ଟି ସିରିଜର ଦାୟିତ୍ୱ ତାଙ୍କ ପୁଅ ଭୂଷଣ କୁମାର ନେଇଛନ୍ତି।

Comment