ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଗାୟକ ଅରିଜିତ ସିଂହଙ୍କ କଣ୍ଠର ଯାଦୁ ମତୁଆଲା କରିଛି ସମସ୍ତଙ୍କୁ। ‘ତୁମ୍ ହି ହୋ’, ‘ଦିଲ୍ଲୀବାଲି ଗର୍ଲଫ୍ରେଣ୍ଡ’, ‘ମେଁ ରଙ୍ଗ୍ ସରବତୋଁ କା ତୁ..’, ‘ରାତଭର ହାଁ ରାତଭର୍..’ ଏବଂ ‘ଆଜ୍ ସେ ତେରୀ…’ ଭଳି ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି ସେ।

ବଲିଉଡରେ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରେ ଅରିଜିତ ସିଂହ ହେଉଛନ୍ତି ଅନ୍ୟତମ। ୧୯୮୭ ମସିହା ଏପ୍ରିଲ୍ ୨୫ ତାରିଖରେ ପଶ୍ଚିମବଙ୍ଗର ଜିଲ୍ଲା ଗଞ୍ଜର ମୁର୍ଶିଦାବାଦଠାରେ ଜନ୍ମଗ୍ରହଣ କରିଥିଲେ ଅରିଜିତ୍। ତାଙ୍କ ବାପା ପଞ୍ଜାବୀ ଓ ମାଆ ବଙ୍ଗାଳୀ। ଅରିଜିତଙ୍କ ଜେଜେମା’ ଶାସ୍ତ୍ରୀୟ ସଙ୍ଗୀତ ଗାୟନ କରୁଥିଲେ। ତାଙ୍କର ପ୍ରଭାବରେ ପିଲାଦିନୁ ଅରିଜିତ୍ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ।

ଅରିଜିତ ସିଂହ ରାଜେନ୍ଦ୍ର ପ୍ରଧାନ ହଜାରୀଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ବୀରେନ୍ଦ୍ର ପ୍ରସାଦ ହଜାରୀଙ୍କଠାରୁ ରବୀନ୍ଦ୍ର ସଙ୍ଗୀତ ଓ ରକ୍ ମ୍ୟୁଜିକର ଟ୍ରେନିଂ ପାଇଥିଲେ। ସେ ‘ରେମ ଗୁରୁକୁଲ’ ରିଆଲିଟି ସୋ’ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ମାତ୍ର ବିଜୟୀ ହୋଇନଥିଲେ। ଅନ୍ୟ ଏକ ମ୍ୟୁଜିକ୍ ରିଅଲିଟି ସୋ’ ‘୧୦ କେ ୧୦ ଲେଗୟେ ଦିଲ୍’ର ବିଜେତା ହେଲେ ଅରିଜିତ ସିଂହ।

ଏହାପରେ ଅରିଜିତ ସିଂହ ମୁମ୍ବାଇରେ ନିଜର ଷ୍ଟୁଡ଼ିଓ ପ୍ରତିଷ୍ଠା କରିଥିଲେ। ସେଠି ସେ ଆସିଷ୍ଟାଣ୍ଟ ମ୍ୟୁଜିକ୍ ପ୍ରୋଗ୍ରାମର ଭାବେ ପ୍ରଖ୍ୟାତ ସଙ୍ଗୀତକାର ଶଙ୍କର-ଏସାନ୍-ଲୟ, ବିଶାଲ-ଶେଖର ଓ ମିଥୁନଙ୍କ ସହିତ କାମ କରିବାକୁ ଲାଗିଲେ। ସଙ୍ଗୀତ ନିର୍ଦ୍ଦେଶକ ମିଥୁନ୍ ତାଙ୍କୁ “ମର୍ଡର ଟୁ” ଫିଲ୍ମରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ବ୍ରେକ୍ ଦେଇଥିଲେ। ତାଙ୍କର ଅନେକ ଗୀତ ସୁପରହିଟ୍ ହୋଇଛି। ଏଥିମଧ୍ୟରୁ କେତୋଟି ଗୀତ ହେଲା- ‘ତୁମ୍ ହି ହୋ’ (ଆଶିକୀ-୨) ‘ଦିଲ୍ଲୀବାଲି ଗର୍ଲଫ୍ରେଣ୍ଡ’ ( ୟେ ଜୱାନି ହେ ଦିୱାନି), ‘ମେଁ ରଙ୍ଗ୍ ସରବତୋଁ କା ତୁ..’ (ଫଟା ପୋଷ୍ଟର ନିକଲା ହିରୋ), ‘ରାତଭର ହାଁ ରାତଭର୍..’(ହିରୋପନ୍ତି) ଏବଂ ‘ଆଜ୍ ସେ ତେରୀ…’ (ପ୍ୟାଡମ୍ୟାନ୍)।

ଗାୟକ ଅରିଜିତ ସିଂହ ଏକ ପୁରସ୍କାର ସମାରୋହରେ ସୁରପଷ୍ଟାର୍ ସଲମାନ ଖାନଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦୀୟ ହୋଇଥିଲେ। ଏହି କାରଣରୁ ସଲମାନ ଖାନ୍ ତାଙ୍କ ଅଭିନୀତ ଫିଲ୍ମ “ସୁଲତାନ”ରୁ ଅରିଜିତଙ୍କ କଣ୍ଠରେ ରେକର୍ଡ ହୋଇଥିବା ଏକ ଗୀତକୁ ବାଦ୍ ଦେଇଥିଲେ। ଅବଶ୍ୟ ଅରିଜିତ ସୋସିଆଲ୍ ମିଡ଼ିଆରେ ସଲମାନଙ୍କୁ କ୍ଷମା ପାର୍ଥନା କରିଥିଲେ।

ଆଜିକାର ଷ୍ଟାର ସିଙ୍ଗର୍‌-କମ୍ପୋଜର ଅରିଜିତ ସିଂହ ଦୁଇଥର ବିବାହ କରିଛନ୍ତି। ଏକ ସଙ୍ଗୀତ ପ୍ରତିଯୋଗିତାର ଭାଗ ନେଇଥିବା କୋୟଲ ସିଂହଙ୍କୁ ସେ ୨୦୧୩ରେ ପ୍ରଥମେ ବିବାହ କରିଥିଲେ। ହେଲେ ବିବାହର କିଛି ମାସ ପରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ୨୦୧୪ରେ ଅରିଜିତ ଆଉ ଜଣେ ବଙ୍ଗୀୟ ଯୁବତୀ କୋୟଲ ରାୟଙ୍କୁ ବିବାହ କରିଥିଲେ। କୋୟଲ ଅରିଜିତଙ୍କର ପିଲାଦିନର ବାନ୍ଧବୀ। ଏହା ମଧ୍ୟ ଉଭୟଙ୍କ ଦ୍ଵିତୀୟ ବିବାହ। କୋୟଲଙ୍କର ପ୍ରଥମ ସ୍ଵାମୀଙ୍କର ଏକ କନ୍ୟା ସନ୍ତାନ ବି ଅଛି। ଏହି ବିବାହକୁ ସେ ଗୋପନ ରଖିଥିଲେ।

ଥରେ ଜଣେ ସାମ୍ବାଦିକ ତାଙ୍କୁ ଦ୍ଵିତୀୟ ବିବାହ ପ୍ରସଙ୍ଗରେ ପ୍ରଶ୍ନ ପଚାରିବାରୁ ଉତକ୍ଷିପ୍ତ ହୋଇ ଅରିଜିତ ସିଂହ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେବେ ନାହିଁ ବୋଲି କହିଥିଲେ। ଅବଶ୍ୟ ଦ୍ଵିତୀୟ ବିବାହର ଫଟୋ ସେ କିଛି ବର୍ଷ ପରେ ସୋସିଆଲ୍ ମିଡ଼ିଆରେ ସେଆର କରି ବିବାହ କଥାକୁ ସ୍ଵୀକାର କରିଥିଲେ।

Comment