ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍ ଫିଲ୍ମର ଜଣାଶୁଣା ତଥା ପରିଚିତ ନାଁ ହେଉଛି ୟଶରାଜ୍ ଚୋପ୍ରା। ଜଣେ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ସହ ଜଣେ ସଫଳ ପ୍ରଯୋଜକ ଭାବରେ ସେ ବେଶ୍ ପରିଚିତ୍। ତାଙ୍କର ଫିଲ୍ମ କ୍ୟାରିଅରରେ ସେ ବହୁ କଳାକାର ତିଆରି କରିଛନ୍ତି। 

ୟଶରାଜ ଚୋପ୍ରା ପରାଧୀନ ଭାରତରେ ୧୯୩୨ ମସିହାରେ ଲାହୋରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବଡ଼ଭାଇ ବି.ଆର୍. ଚୋପ୍ରା ମଧ୍ୟ ଜଣେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ। ସେ ଅଶୀ ଦଶକରେ ‘ମହାଭାରତ’ ସିରିଏଲ୍ ନିର୍ମାଣ କରି ଚର୍ଚ୍ଚାରେ ରହିଥିଲେ। ବଡ଼ଭାଇ ବି.ଆର୍.ଚୋପ୍ରାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ୧୯୫୯ ମସିହାରେ ଫିଲ୍ମ ଦୁନିଆଁରେ ପାଦ ରଖିଥିଲେ। ଏହାପରେ ପରେ ସେ ୧୯୭୧ ମସିହାରେ ନିଜ ନାମରେ ତାଙ୍କର ଫିଲ୍ମ ପ୍ରଡକସନ୍ କମ୍ପାନି ଆରମ୍ଭ କରିଥିଲେ।

ଦିୱାର(୧୯୭୫) ଭଳି ଫିଲ୍ମ ନିର୍ମାଣ କରି ବିଗ୍ ବି ଅମିତାଭ୍ ବଚ୍ଚନଙ୍କୁ ସାରା ଭାରତରେ ପରିଚିତ କରାଇଥିଲେ। ସେହିଭଳି ବିଂଶ ଶତାବ୍ଦୀରେ ସୁପରଷ୍ଟାର ଶାହାରୁଖ୍ ଖାନଙ୍କୁ ନେଇ ସେ ନିର୍ମାଣ କରିଥିଲେ ଦିଲ୍ ତୋ ପାଗଲ ହେ(୧୯୯୭), ବୀର-ଜାରା(୨୦୦୭) ଓ ଜବ୍ ତକ୍ ହେ ଜାନ(୨୦୧୨) ଭଳି ଫିଲ୍ମ ନିର୍ମାଣ କରି ବଲିଉଡରେ ଗୋଟିଏ ନୂଆ ଯୁଗର ଆରମ୍ଭ କରିଥିଲେ।

ଫିଲ୍ମ ‘ଜବ୍ ତକ୍ ହେ ଜାନ’(୨୦୧୨) ତାଙ୍କର ଶେଷ ଫିଲ୍ମ ରହିଥିଲା। ଏହି ଫିଲ୍ମର ନିର୍ମାଣ କରିସାରିବା ପରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁପରେ ତାଙ୍କର ଏହି ଶେଷ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା।

ତାଙ୍କର ଜୀବନକାଳ ମଧ୍ୟରେ ସେ ଅନେକ ବିଶେଷ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ସାତ ଥର ଜାତୀୟ ଫିଲ୍ମ ପୁରସ୍କାର ସହ ୧୧ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୨୦୦୫ରେ ଭାରତ ସରକାର ତାଙ୍କୁ ‘ପଦ୍ମଭୂଷଣ’ ସମ୍ମାନରେ ସମ୍ମାନୀତ କରିଥିଲେ। ୨୦୦୧ରେ ତାଙ୍କୁ ଫିଲ୍ମଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲକେ’ ପୁରସ୍କାର ପ୍ରଦାନ କରାଯାଇଥିଲା।

Comment