ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁରରୁ ୨୨ କିମି ସାଇକେଲ ଚଳାଇ ବୁଧବାର ସକାଳ ସାଢ଼େ ୬ଟାରେ ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସ୍‌ପି ନିତିନ କୁଶଲକର। ଏସ୍‌ପି ୨୨ କିମି ସାଇକେଲ ଚଳାଇ ଥାନାକୁ ଆସୁଥିବାର ଖବର ପାଇବା ପରେ ଥାନାର ସମସ୍ତ ଥାନା କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏସପି ନିତିନ କୁଶଲକର ଏକ ଧଳା ଟିସାର୍ଟ ଏବଂ କଳା ହାପ ପ୍ୟାଣ୍ଟ ସହ ୱାକିଙ୍ଗ ସୁ ପିନ୍ଧି ଆସୁଥିବା ଦେଖିବାକୁ ମିଳିଥିଲା। କରୋନା ଭଳି ମହାମାରୀ ସମୟରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ସକାଶେ ସାଇକେଲିଂ କରିବା ସହ ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଏସପି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକେ ଘରୁ ବାହାରକୁ ପାଦ କାଢ଼ିଲେ ବାଇକ ବାହାର କରିବା ଏକ ସୌଖିନ ହୋଇଛି। ଏହା ଦ୍ଵାରା ପରିବେଶ ବି ପ୍ରଦୂଷଣ ହେଉଛି। ସାଇକେଲର ବହୁଳ ବ୍ୟବହାର ହୋଇପାରିଲେ ପରିବେଶ ପ୍ରଦୂଷଣରୁ ମୁକ୍ତ ହୋଇପାରିବା ଶାରିରୀକ ପରିଶ୍ରମ ମଧ୍ୟ ହୋଇପାରିବ।

ଏସ୍‌ପି ଥାନାରେ ପହଞ୍ଚି ଆଇଆଇସି ପରମାନନ୍ଦ ସୁନାନୀଙ୍କ ସହ ଆଲୋଚନା କରି କୋଭିଡ-୧୯ ଉପରେ ଆଲୋଚନା କରିଥିଲେ। ସେହିପରି ଥାନା ପରିସରରେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହ ସାନିଟାଇଜିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ସେହିପରି  ଅଞ୍ଚଳରେ ସାଧାରଣ ଜନତା ଯେଭଳି ସାମାଜିକ ଦୂରତା ବଜାୟ ରଖିବେ ଏବଂ ମାସ୍କ ପିନ୍ଧିବେ ସେନେଇ ଦୃଷ୍ଟି ଦେବାକୁ କହିଥିଲେ।

ନବରଙ୍ଗପୁର ଏସପି ନିତିନ କୁଶଲକର ଆସିବା ସମୟରେ ଏସଆଇ ଅଭିମନ୍ୟୁ ଦୁର୍ଗା, ଏସଆଇ ରଂଜିତ କୁମାର ଭୋଇ, ଏସଆଇ ପ୍ରସନ୍ନ ନାୟକ, ଏଏସଆଇ ପ୍ରକାଶ ଚନ୍ଦ୍ର ପାତ୍ର, ଏଏସଆଇ ସୁରେନ୍ଦ୍ର ଦିଗାଲ, କେଶରୀ ଭତରା, ପ୍ରମୁଖ ଉପସ୍ଥିତ ଥିଲେ।

Comment