ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଅମ୍ଫନ୍‌’ ବାତ୍ୟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଜଣ ଗର୍ଭବତୀ ମହିଳା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ତାଙ୍କ ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ କର୍ମଚାରୀ। ଆଉ ଜଣେ ମହିଳାଙ୍କର ପ୍ରସବ ତାରିଖ ପାଖେଇ ଆସିଥିବାରୁ ସେ ଆଗୁଆ ଡାକ୍ତରଖାନାକୁ ଚାଲି ଆସିଥିଲେ।

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ଜଅଁରା ଗାଁର ଜଣେ ମହିଳା ଗର୍ଭବତୀ ଥିଲେ। ବାତ୍ୟା ଅମ୍ପନର ପ୍ରକୋପ ବେଳେ ପ୍ରସବ ଯନ୍ତ୍ରଣା ବଢିବାରୁ ୧୦୨ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ତାଙ୍କ ପରିବାର ଲୋକ। ଅମ୍ଫନ ଝଡ ଯୋଗେ ରାସ୍ତାରେ ଗଛ ଭାଙ୍ଗି ପଡିଥିବାରୁ ଜନନୀ ଏକ୍ସପ୍ରେସ ଗାଁରେ ପହଞ୍ଚି ପାରିନଥିଲା। ଏହାପରେ ମହାକାଳପଡା ବ୍ଲକରେ ମୁତୟନ ଥିବା ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା।  ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛ କାଟି ସଫା କରିବା ସହିତ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଅଗ୍ନିଶମ ଗାଡିରେ ମହାକାଳପଡା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନା ଆସିବା ବାଟରେ ହିଁ ମହିଳା ଜଣକ ଦମକଳ ଗାଡିରେ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ଏଥିସହିତ ମା’ ଓ ଛୁଆଙ୍କୁ ଅଗ୍ନିଶମ ଗାଡିରେ ହସ୍ପିଟାଲରେ ପହଞ୍ଚାଇ ଉଭୟ ମା’ ଓ ଶିଶୁର ଜୀବନ ରକ୍ଷା କରିଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀ।

ବାତ୍ୟା ଅମ୍ପନ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ତେବେ ଏହି ସମୟରେ ଅଗ୍ନିଶମ କର୍ମଚାରୀଙ୍କ ଏପରି ସାହସିକ ପଦକ୍ଷେପ ୨ଟି ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲା।

ସେହିପରି ରାଜନଗର ବ୍ଲକ ତାଳଚୂଆ ପଞ୍ଚାୟତର ଶୈଳେନ୍ଦ୍ରନଗର ଗାଁର ଜଣେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ସେ ଝଡ ଆସିବା ଆଗରୁ ତାଳଚୂଆ ସ୍ବାସ୍ଥ୍ୟକେନ୍ଦ୍ରକୁ ଚାଲି ଆସିଥିଲେ। ଗତ କାଲି ବିଳମ୍ବିତ ରାତିରେ ପ୍ରଚଣ୍ଡ ଝଡ ସମୟରେ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।

Comment