ଓଡ଼ିଶାଲାଇଭ୍ବ୍ୟୁରୋ

ଯାତ୍ରା ପାର୍ଟି ମାଲିକମାନେ ମୁହଁ ଖୋଲିଛନ୍ତି। କଳାକାରମାନେ ମିଛ କହିଥିବା ମାଲିକ ସଂଘ କହିଛି। କରୋନା ଲକ୍‌ଡାଉନ୍‌ ପାଇଁ ଯାତ୍ରା ପରିବେଷଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି। ହେଲେ କଳାକାରଙ୍କ ପାଉଣା ବାକି ନାହିଁ ବୋଲି ମାଲିକମାନେ କହିଛନ୍ତି।

‘‘ଅଗଷ୍ଟ ମାସରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ ହୋଇଥାଏ। ଜୁନ୍‌ ୨୦ରୁ ଅଗଷ୍ଟ ମାସ ଭିତରେ କଳାକାରମାନେ ଯାତ୍ରା ଶିଖିଥାନ୍ତି। ଏହି ସମୟରେ ସେମାନଙ୍କୁ କିଛି ପାଉଣା ମିଳି ନଥାଏ। କେବଳ ମାଲିକମାନେ ଖାଇବା ପିଇବା ବ୍ୟବସ୍ଥା କରିଥାନ୍ତି। କଳାକାରମାନେ ୧୦ ମାସ ପାଇଁ ଦରମା ନେଇଥାନ୍ତି। ସବୁ କଳାକାରଙ୍କୁ ଦରମା ଦିଆଯାଇଛି। କଳାକାରମାନେ କାମ କରି ନଥିବା ବେଳେ ଆମେ ସେମାନଙ୍କୁ ଦରମା ଦେଇଛୁ। ୨୦୨୦-୨୧ ବର୍ଷ ପାଇଁ ମଧ୍ୟ ଆମେ ଆଗୁଆ ଦରମା ଦେଇଛୁ’’, କହିଛନ୍ତି ଯାତ୍ରା ପାର୍ଟି ମାଲିକ।

‘‘ଜଣେ ଜଣେ ଯାତ୍ରା କଳାକାର ବାର୍ଷିକ ୧୦ରୁ ୩୫ ଲକ୍ଷ ଟଙ୍କା ଲେଖାଏଁ ଦରମା ପାଇଥାନ୍ତି। କୌଣସି କଳାକାରଙ୍କର ଟଙ୍କା ବାକି ନାହିଁ। ଯଦି କୌଣସି ଟେକ୍‌ନିସିଆନ୍‌ ବା ଅନ୍ୟ କର୍ମଚାରୀଙ୍କ କିଛି ଟଙ୍କା ବାକି ଅଛି ସେମାନେ ମାଲିକଙ୍କୁ ଦେଖାକଲେ ସେସବୁ ମିଳିଯିବ।’’

ଗତ ଦୁଇଦିନ ତଳେ ଆଗଧାଡ଼ିର ଯାତ୍ରା କଳାକାରମାନେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେଇଥିଲେ। ସଂସ୍କୃତି ମନ୍ତ୍ରୀଙ୍କୁ ମଧ୍ୟ ସେମାନଙ୍କ ଦାବି ଜଣାଇଥିଲେ। ଯାତ୍ରା କଳାକାରଙ୍କ ପାଇଁ ସରକାର ସ୍ପେଶାଲ ପ୍ୟାକେଜ ଘୋଷଣା କରିବାକୁ ସେମାନେ ଦାବି କରିଥିଲେ। ଏହାସହ ଯାତ୍ରା ପରିବେଷଣ ପାଇଁ ଅନୁମତି ଦାବି କରିଥିଲେ। ସରକାର ଯଦି ସେମାନଙ୍କ କଥା ନଶୁଣନ୍ତି ତାହାଲେ ସେମାନେ ଆତ୍ମହତ୍ୟା କରିବେ ବୋଲି କଳାକାରମାନେ ଚେତାବନୀ ଦେଇଥିଲେ।

Comment